ରାମଗିରି ବନବିଭାଗ ଫରେଷ୍ଟର ଭିଜିଲାନ୍ସ ହାତରେ ଗିରଫ

0
618

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ମଙ୍ଗଳବାର ଦିନ ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ରାମଗିରି ବନ ବିଭାଗର କାର୍ଯ୍ୟରତ ଫରେଷ୍ଟର ଦିବାକର ଲେଙ୍କା ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ରାମଗିରି ବନଖଣ୍ଡ ଅନ୍ତର୍ଗତ ମଙ୍ଗରାଜପୁର ଗାଁର କୃଷ୍ଣଚନ୍ଦ୍ର କାର୍ଜି ନିଜ ଘର ବାଡ଼ି ପଟରେ କିଛି ସାଗୁଆନ ଗଛ ଲଗାଇଥିଲେ। ସମୟ କ୍ରମେ ଗଛଗୁଡ଼ିକ ବଡ ହୋଇଥିଲା କିନ୍ତୁ ଗତବର୍ଷ ତିତ୍ଲି ବାତ୍ୟା ସମୟରେ କିଛି ସାଗୁଆନ୍ ଗଛ ଭାଙ୍ଗି ପଡ଼ିଥିଲା। ତେଣୁ ଭାଙ୍ଗିପଡ଼ିଥିବା ସାଗୁଆନ ଗଛ ନିଜର ଭାବି କୃଷ୍ଣଚନ୍ଦ୍ର ଏଗୁଡ଼ିକ ଖଣ୍ଡଖଣ୍ଡ କରି କାଟିଥିଲେ ଏବଂ ଘର କାମରେ ବ୍ୟବହାର କରିବାକୁ ଚାହୁଁଥିଲେ। କୌଣସି ସୂତ୍ରରୁ ଫରେଷ୍ଟର ଦିବାକର ଲେଙ୍କା ସୂଚନା ପାଇ କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ମଙ୍ଗରାଜପୁର ଘରେ ପହଞ୍ଚିଥିଲେ ଏବଂ ସାଗୁଆନ ଗଛଗୁଡ଼ିକରେ ସରକାରଙ୍କ ଅଧିକାର ଅଛି ବୋଲି ଧମକ ଦେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ କୃଷ୍ଣଚନ୍ଦ୍ରଙ୍କୁ ଫରେଷ୍ଟର ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। କୃଷ୍ଣଚନ୍ଦ୍ର ଘଟଣା ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଯୋଜନା ଅନୁସାରେ ଦିବାକର ଲେଙ୍କାଙ୍କ କାର୍ଯ୍ୟାଳୟକୁ ଯାଇ କୃଷ୍ଣଚନ୍ଦ୍ର ଲାଞ୍ଚ ଟଙ୍କା ଦେଇଥିଲେ। ସେ ଲାଞ୍ଚ ଟଙ୍କା ଦେଇ ଫେରିଆସିବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଫରେଷ୍ଟର ଦିବାକରଙ୍କୁ ଗିରଫ କରିଥିଲେ । ଯାଞ୍ଚ ବେଳେ ନାଲି ରଙ୍ଗ ବୋଳାଯାଇଥିବା ୫୦୦୦ ଟଙ୍କା ତାଙ୍କ ପାଖରୁ ମିଳିଥିଲା। ଏହାକୁ ଭିତିକରି ଭିଜିଲାନ୍ସ କେଶ ନଂ୨/୨୦ ରୁଜ୍ଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here