ଛତ୍ରପୁର ଉପକାରାଗାରରୁ କଏଦୀ ଚମ୍ପଟ ; ଘଟଣାର ତଦନ୍ତ କଲେ ଦକ୍ଷିଣାଞ୍ଚଳ ଜେଲ ଡିଆଇଜି।

0
650

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପକାରଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ କବିରାଜ ବେହେରା ନାମକ ଜଣେ ବିଚରାଧୀନ କଏଦୀ ଛତ୍ରପୁର ଉପକାରାଗାରରୁ ଚମ୍ପଟ ମାରିଛି। କବିରାଜଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ବୋଲି ଜଣାପଡ଼ିଛି। ଫେରାର କଏଦୀ କବିରାଜ ଏକ ଦୁଷ୍କର୍ମ ମାମଲାରେ ଗତ ବର୍ଷ ଡ଼ିସେମ୍ବର ୭ ତାରିଖ ଛତ୍ରପୁର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଉପକାରାଗାରରେ ବନ୍ଦୀ ଥିଲେ। ତେବେ ସେ ଜେଲରୁ ଚମ୍ପଟ ମାରିବାରେ କିଭଳି ସକ୍ଷମ ହେଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଉପକାରାଗାରର କର୍ମଚାରୀ ମାନେ ଫେରାର କବିରାଜକୁ ଧରିବା ଲାଗି ଜୋରସୋର ଉଦ୍ୟମ ଜାରୀ ରଖିଛନ୍ତି। ଘଟଣାର ଖବର ପାଇ ବ୍ରହ୍ମପୁର ରେଞ୍ଜର ଜେଲ ଡିଆଇଜି ରଘୁନାଥ ମାଝୀ ଓ ବ୍ରହ୍ମପୁରର ସିନିୟର ଜେଲ ଅଧିକ୍ଷକ ଏ.କେ ସିହ୍ନାଙ୍କ ସମେତ ଏକ ପ୍ରତିନିଧି ଦଳ ଛତ୍ରପୁର ଉପକାରାଗାରରେ ପହଂଚି ଜେଲର ପାରିପାର୍ଶ୍ବିକ ସ୍ଥିତି ଏବଂ ସିଟିଟିଭି ଫୁଟେଜ୍ ଯାଂଚ କରିବା ସହ କିପରି କଏଦୀ ଜଣକ ଚମ୍ପଟ ମାରିଲେ ସେ ସଂପର୍କରେ ଛତ୍ରପୁର ଜେଲ ଅଧିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ କବିରାଜ ବେହେରା ଗତକାଲି ସନ୍ଧ୍ୟା ୫ଟାରୁ ସିସିଟିଭି ଫୁଟେଜରେ ଦେଖାଯାଉନଥିଲା ଏଣୁ ଉପସ୍ଥିତ ଜେଲ କର୍ମଚାରୀ ଓ ଘଟଣାର ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ କବିରାଜ ଉପକାରାଗାରର ପଛପଟୁ ଚମ୍ପଟ ମାରିଥିବା ଡ଼ିଆଇଜି କହିଛନ୍ତି। ଏହା ସହ ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଘଟଣାର ଖବର ପାଇ ଛତ୍ରପୁର ପୁଲିସ ଏସଡ଼ିପିଓ ଗୌତମ କିଶାନ, ଛତ୍ରପୁର ଥାନା ଅଧିକାରୀ ଉପକାରାଗାରକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଏହା ସହ ସିିସିଟିଭି ଫୁଟେଜ୍ ଏବଂ ଜେଲ୍ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିଥିଲେ। ଏନେଇ ଉପକାରାଗାର ପକ୍ଷରୁ ଏକ ଲିଖିତ ଅଭିଯୋଗ ଛତ୍ରପୁର ଥାନାରେ ଦିଆଯାଇଛି। କଏଦୀ କବିରାଜ ଫେରାର ଘଟଣାରେ କାହାର ହାତ ଅଛି ଅଥବା କର୍ତ୍ତବ୍ୟରେ କାହାର ଅବହେଳା ହୋଇଛି ସେନେଇ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here