୪ମାସ ପରେ ଶୁଭଶ୍ରୀ ଗୌଡ଼ ହତ୍ୟାକାଣ୍ଡର ପର୍ଦ୍ଧାଫାସ, ଜଙ୍ଗଲରୁ କଙ୍କାଳ ଉଦ୍ଧାର, ସ୍ୱାମୀ ଗିରଫ।

0
750

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ପାଣିକେଶ୍ୱର ଗ୍ରାମର ନବବିବାହିତା ଶୁଭଶ୍ରୀ ଗୌଡ଼ଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ ହୋଇପାରିଛି। ଗତ ଜୁନ ୭ତାରିଖରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡର ଦୀର୍ଘ ୪ମାସ ପରେ ଶୁଭଶ୍ରୀଙ୍କ କଙ୍କାଳ ତାରସିଂ ଥାନା ଅନ୍ତର୍ଗତ କ୍ରିୟାଧର ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା କଙ୍କାଳ ନିକଟରୁ ଜବତ ବସ୍ତ୍ର ଓ ଚୁଡିକୁ ଶୁଭଶ୍ରୀଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ଏହି କଙ୍କାଳ ଶୁଭଶ୍ରୀଙ୍କର ବୋଲି ସ୍ପଷ୍ଟ ହୋଇଛି। ପାଣିକେଶ୍ୱର ଗ୍ରାମର ଶରତ ଗୌଡ଼ଙ୍କ ସହ ଶୁଭଶ୍ରୀଙ୍କର ପ୍ରେମ ସମ୍ପର୍କ ଥିଲା ଓ ପରେ ଗତ ଏପ୍ରିଲ ୧୭ତାରିଖରେ ବିବାହ କରିଥିଲେ। କିନ୍ତୁ ବିବାହକୁ ଶୁଭଶ୍ରୀଙ୍କ ପରିବାର ଲୋକେ ସମ୍ମତି ପ୍ରଦାନ କରିନଥିଲେ। ଫଳରେ ବିବାହ ପରେ ଉଭୟ ଶରତ ଓ ଶୁଭଶ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ତେବେ ଗତ ଜୁନ ୭ତାରିଖ ଦିନ ଶରତ ନିଜ ପତ୍ନୀ ଶୁଭଶ୍ରୀଙ୍କୁ ଡାକିନେଇ ଦଉଡିରେ ତଣ୍ଟି ଚିପି ଶ୍ବାସରୁଦ୍ଧ କରି ନିଷ୍ଠୁର ଭାବେ ହତ୍ୟା କରି ଏକ ଅଖା ଭିତରେ ପୁରେଇ ତାରସିଂ ଥାନା ଅନ୍ତର୍ଗତ କ୍ରିୟାଧର ଜଙ୍ଗଲରେ ପୋତିଦେଇଥିଲା। ପରେ ଶୁଭଶ୍ରୀ ନିଖୋଜ ଥିବା ନେଇ ମିଥ୍ୟା ପ୍ରଚାର କରିଥିଲା। କିନ୍ତୁ ଶୁଭଶ୍ରୀଙ୍କ ବାପା ଦୁଖା ଗୌଡ଼ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ବୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଘଟଣାର ତଦନ୍ତ ଚାଲିଥିବା ବେଳେ ଗତକାଲି ଶୁଭଶ୍ରୀଙ୍କ ନର କଙ୍କାଳ ଉଦ୍ଧାର ହେବା ପରେ ହତ୍ୟାକାରୀ ସ୍ୱାମୀ ଶରତ ଗୌଡ଼କୁ ପୋଲିସ ଗିରଫ କରିଛି। ଉଦ୍ଧାର କଙ୍କାଳର ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ପଠାଇଛି।

LEAVE A REPLY

Please enter your comment!
Please enter your name here