ପିତାମ୍ବରପୁର ବଇଦ ହତ୍ୟା ମାମଲାର ପର୍ଦ୍ଦାଫାଶ : ୬ ଗିରଫ

0
297

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମରେ ଗତ ଫେବୃଆରୀ ୧୭ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବଙ୍ଗାଳୀ ସେଠୀ ନାମକ ଜଣେ ବୃଦ୍ଧ ବଇଦଙ୍କୁ ହତ୍ୟା ମାମଲାର ଶୁକ୍ରବାର ଦିନ ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ । ଗିରଫ ମାନଙ୍କ ମଧ୍ୟରେ ପିତାମ୍ବରପୁର ଗ୍ରାମ ମୃତକ ବଙ୍ଗାଳୀଙ୍କ ପୁତୁରା ପ୍ରସନ୍ନ ସେଠୀ , ତାଙ୍କ ପତ୍ନୀ କବିତା ସେଠୀ , କବିତାଙ୍କ ଭାଇ ପୁଡୁଙ୍ଗି ଗ୍ରାମର ପ୍ରତାପ ସେଠୀ , କବିତାଙ୍କ ପୁତୁରା ହିଞ୍ଜିଳିକାଟୁ ସିନେମା ସାହିର ଅରୁଣ ସେଠୀ , ଅରୁଣଙ୍କ ସାଙ୍ଗ ଆଦେଶ ମହାପାତ୍ର ଏବଂ ଜରଡା ଥାନା ପାତ୍ରପୁର ଗ୍ରାମର ସନ୍ତୋଷ ନାୟକ ବୋଲି ଜଣାପଡ଼ିଥିବା ବେଳେ ସନ୍ତୋଷ ବର୍ତ୍ତମାନ ବ୍ରହ୍ମପୁର ସହରରେ ରହୁଥିଲେ। ଖବରନୁଯାୟୀ , ମୃତ ବଙ୍ଗାଳୀ ଦୀର୍ଘ ୧୫ ବର୍ଷ ଧରି ଗ୍ରାମରେ ନିଦ୍ରାବତୀ ଠାକୁରାଣୀ ପୂଜା କରିବା ସହ ଝଡାଫୁଙ୍କା କରି ଆୟୁର୍ବେଦ ଔଷଧ ଦେଇ ଆସୁଥିଲେ । ତେବେ କୈାଣସି ସୁଫଳ ନ ମିଳିବାରୁ ପ୍ରସନ୍ନ ନିିିଜ ଦାଦା
ବଙ୍ଗାଳୀ ପାଖକୁ ଯାଇଥିଲେ । ଏପରିକି ଔଷଧ ସେବନ ପରର ଦିନକ ପରେ ୭ ବର୍ଷ ବୟସରେ ଝିଅର ଅକାଳ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏହାକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହିପରି ଗତ ତିନିମାସ ତଳେ ଅଭିଯୁକ୍ତ କବିତାଙ୍କୁ ଭାଉଜ ତଥା ପ୍ରତାପଙ୍କ ପତ୍ନୀ ପିଙ୍କିଙ୍କ ମଧ୍ୟ ବିୟୋଗ ଘଟିଥିଲା । ଯାହାଫଳରେ ଉଭୟ ପରିବାର ମିଶି ବଙ୍ଗାଳୀ ତନ୍ତ୍ର ସାଧନା କରି ଆମ ପରିବାରକୁ ମାରୁଛି ବୋଲି ସନ୍ଦେହ କରି ବଙ୍ଗାଳୀଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ କବିତା , ପ୍ରସନ୍ନ , ପ୍ରତାପ ଓ ଅରୁଣ ମିଶି ଆପୋଷ କଥାବାର୍ତ୍ତା କରିବା ପରେ ଆଦେଶକୁ ଜଣାଇଥିଲେ। ଏହାପରେ ସନ୍ତୋଷ ନାୟକଙ୍କୁ ମଧ୍ୟ ଜଣାଇବା ସହ ମାରିବା ପାଇଁ କହିଥିଲେ । ଯାହାଫଳରେ ଅଭିଯୁକ୍ତ ସନ୍ତୋଷ ଭୁବନେଶ୍ୱରରେ ମନୋଜ ବେହେରା ନାମକ ଜଣେ ଦୁର୍ଦାନ୍ତ ଅପରାଧୀ ଓ ସୁପାରିକିଲର ସହ ମୋ ପରିଚୟ ରହିଥିବା କହିଥିଲେ । ମନୋଜ ବେହେରାଙ୍କ ସୁପାରିଶ କ୍ରମେ ଗତ ଫେବୃଆରୀ ୧୬ ତାରିଖ ଦିନ ମନୋଜ ଓ ବିଷୁ ଦୁଇଜଣ ଆସି ପ୍ରସନ୍ନଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଏହାପରେ ୧୭ ତାରିଖ ଦିନ ମନୋଜ , ବିଷୁ ବଙ୍ଗାଳୀଙ୍କୁ ଚିହ୍ନିବା ପାଇଁ ଅରୁଣଙ୍କ ସହ ଔଷଧ ନେବା ବାହାନାରେ ଦୁଇଟି ବାଇକରେ ମୃତକଙ୍କ ଘରକୁ ଆସିଥିଲେ। ତେବେ ଔଷଧ ନ ନେଇ ଗ୍ରାମ ଶେଷରେ ଥିବା ଆମ୍ବଗଛ ନିକଟରେ ଯୋଜନାବଦ୍ଧ ରୂପେ ମାରିବା ପାଇଁ ଜଗି ବସିଥିଲେ । ତେବେ ବଙ୍ଗାଳୀ ର ଗତିବିଧିକୁ ଜାଣିଥିଲେ କବିତା ଓ ପ୍ରସନ୍ନ। ସେମାନେ ଜାଣିଥିଲେ ଯେ , ବଙ୍ଗାଳୀ ୪ ଘଣ୍ଟା ସମୟରେ ଚାହା ପିଇବା ପାଇଁ ସାଇକେଲ ଯୋଗେ ଛକକୁ ଯାଇଥାଏ । ତେବେ ପୂର୍ବ ଯୋଜନା ମୁତାବକ ବଙ୍ଗାଳୀ ସାଇକେଲରେ ଯିବା ସମୟରେ ମନୋଜ ଓ ବିଷୁ ଲୁହା ରଡ଼ ସମେତ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ସେଠାରୁ ପଳାଇଥିଲେ । ଗୁରୁତର ଅବସ୍ଥାରେ ବଙ୍ଗାଳୀଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଇଦଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠାରୁ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପରିବାରର ଏତଲା କ୍ରମେ ମାମଲା ରୁଜୁ କରି ତଦନ୍ତ ଚଳାଇ ଆସୁଥିବା ବେଳେ ଆଜି ସେମାନଙ୍କୁ ଗିରଫ କରିବା ସହ ବ୍ୟବହୃତ ମାରଣାସ୍ତ୍ର ଜବତ କରି ଥାନା ମାମଲା ନଂ ୭୫/୨୩ ପ୍ରକାରେ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here