ଫାଇନାନ୍ସ କର୍ମଚାରୀ ଠାରୁ ଲୂଟ ଘଟଣାର ପର୍ଦାଫାଶ

0
680

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ଶର୍ମା ଗତ ୧୭ ତାରିଖରେ ହୋଇଥିବା ଟଙ୍କା ଲୁଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ସୂଚନା ଅନୁଯାୟୀ ୧୭ ତାରିଖ ଦିନ ମଧ୍ୟାହ୍ନ ସମୟରେ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରାଘାଟି ରାସ୍ତାରେ ହୋଇଥିବା ଟଙ୍କା ଲୁଟ ଘଟଣାରେ ପୋଲିସ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଟଙ୍କା,ମୋବାଇଲ ଓ ଅନ୍ୟାନ୍ୟ ସବୁ ଜବତ କରିଛି । ଗିରଫ ୩ ଜଣ ନୁଆଗଡ଼ ସ୍ଥାନୀୟ ଅଞ୍ଚଳର ସିଦ୍ଧାନ୍ତ କୁମାର ମିଶାଲ(୧୯) ଏବଂ ଅନ୍ୟ ୨ ଜଣ ୧୫ ଏବଂ ୧୭ ବର୍ଷ ବୟସର । “ଭାରତ ଫାଇନାନସିଆଲ ଇନକ୍ଲୁଜନ ଲିମିଟେଡ଼”ର ଜଣେ ଅଧିକାରୀ ସୂର୍ଯ୍ୟକାନ୍ତ ସେନାପତି, କଲେକ୍ସନ ଟଙ୍କା ଧରି ନୁଆଗଡ଼ରୁ ପାରଳାଖେମୁଣ୍ଡି ଫେରୁଥିବା ବେଳେ ଅସୁରା ଘାଟି ରାସ୍ତାରେ ୩ଜଣ ମୁଁହରେ କନା ଗୁଡାଇ ହାତରେ ବଡ଼ ଠେଙ୍ଗା ଧରି ତାଙ୍କୁ ଅଟକାଇଥିଲେ । ସେ ଧରିଥିବା ସମସ୍ତ ଟଙ୍କା ମୋଟ ୧ଲକ୍ଷ୯୩ହଜାର ୯୦୯ ଟଙ୍କା ଲୁଟ କରି ନେଇ ପାହାଡ଼ ଉପରକୁ ପଳାଇଥିଲେ । ଏ ସମ୍ପର୍କରେ ଶ୍ରୀ ସେନାପତି ସନ୍ଧ୍ୟାରେ ସେରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଆଧାର କରି ମକଦ୍ଦମା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିଲେ । ପୋଲିସ ତଦନ୍ତରୁ ଜଣାପଡିଲା ଯେ, ସମ୍ପୃକ୍ତ ୩ଜଣ ସେନାପତିଙ୍କ ଉପରେ ପୂର୍ବ ଏକ ଘଟଣାର ରାଗ ଶୁଝାଈବା ପାଇଁ ଓ ପ୍ରତିଶୋଧ ନେବା ଉଦ୍ଧେଶ୍ୟରେ ଟଙ୍କା ଲୁଟି ନେଇଥିଲେ । ଲୁଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ କିନ୍ତୁ କାହାକୁ କିଛି କହି ନ ଥିଲେ । ସିଦ୍ଧାନ୍ତ ମିଶାଳ’କୁ କୋର୍ଟ ଚାଲାଣ କରାଯିବ ଏବଂ ଅନ୍ୟ ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟ’ରେ ହାଜର କରାଯିବ ବୋଲି ଏସପି ଶର୍ମା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ପ୍ରକାଶ ଚନ୍ଦ୍ର ଜେନା ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here