ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

0
269

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ରାସ୍ତା ଗୁଡିକ ଯେଭଳି ସୁରକ୍ଷିତ ରାସ୍ତା ରୂପେ ପରିଣତ ହେବ ସେହି ଦିଗରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ମଙ୍ଗଳବାର ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ କି ଯେ, ଜିଲ୍ଲାରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ ରୋକିବାକୁ ହେଲେ କେତେଗୁଡିଏ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ପ୍ରଥମତଃ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ମାନଙ୍କୁ ମିଳିତ କମିଟି ଚିହ୍ନଟ କରନ୍ତୁ । କେଉଁ ସବୁ କାରଣ ଯୋଗୁଁ ଦୁର୍ଘଟଣା ମାନ ଘଟୁଛି, ତାହା ତର୍ଜମା କରି ସେହି ସ୍ଥାନରେ ଦୁର୍ଘଟଣାର ପୁନରାବୃତି ଯେପରି ହେବ ନାହିଁ ସେହି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ସେହି ଦୁର୍ଘଟଣା ପ୍ରବଣ ଅଞ୍ଚଳର ଭିତ୍ତିଭୂମି ଗୁଡିକୁ ସଜାଡିବାର ଆବଶ୍ୟକତା ରହିଛି । ଦ୍ଵିତୀୟତଃ ଦୁର୍ଘଟଣା ଘଟୁଥିବା ଅଞ୍ଚଳକୁ ଯେତେ ଶୀଘ୍ର ସମ୍ଭବ ଆମ୍ବୁଲେନ୍ସ ପହଞ୍ଚିବା ଆବଶ୍ୟକ ତେବେ ଯାଇ ମୃତ୍ୟୁ ସଂଖ୍ୟାକୁ କମା ଯାଇପାରିବ । ତୃତୀୟତଃ ଜିଲ୍ଲାରେ ଚଢାଉ କାର୍ଯ୍ୟ ବ୍ୟାପକ ହେଉ ନାହିଁ, ତେଣୁ ଲୋକେ ବିନା ହେଲମେଟ ରେ ଯାତ୍ରା କରୁଛନ୍ତି । ଦୁଇ ଚକିଆ’ ଯାନରେ ତିନି ଜଣ ଲେଖାଏଁ ଯାତ୍ରା କରୁଛନ୍ତି, ଅନେକ କ୍ଷେତ୍ର ରେ ମଦ୍ୟପାନ ଜନିତ ଦୁର୍ଘଟଣା ମଧ୍ୟ ହେଉଛି । ତେଣୁ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ସହିତ ବାରମ୍ବାର ଚଢାଉ କାର୍ଯ୍ୟକୁ ଅନବରତ ଜାରିରଖନ୍ତୁ । ଜୋରିମାନା ଏବଂ ଲାଇସେନ୍ସ ରବ୍ଦ ସଂଖ୍ୟାରେ ବୃଦ୍ଧି ଘଟାଇବା ଆବଶ୍ୟକ । ରାସ୍ତାର ବିଭିନ୍ନ ସ୍ଥାନରେ ସଙ୍କେତ ଚିହ୍ନ, ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ପରାମର୍ଶ ଦେଇଥିଲେ । ଡିଭାଇଡର ଥିବା ରାସ୍ତାରେ ସଠିକ ଚିହ୍ନ ଦିଆଯାଉ ଯଦ୍ବାରା ଲୋକେ ଗାଡି ଚାଳନା ସମୟରେ ଚିହ୍ନ ଦେଖି ଜାଣିବେ ଏବଂ ସତର୍କତାର ସହିତ ଗାଡି ଚଳାଇବେ । ବିଶେଷ କରି ଜାତୀୟ ରାଜପଥ ଅଞ୍ଚଳରେ ଅଧିକ ଦୁର୍ଘଟଣା ଘଟୁଛି । ତେଣୁ ସେହି ସ୍ଥାନ ଗୁଡିକୁ ଅଧିକ ଧ୍ୟାନ ଦେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ବୈଠକରେ ଯୋଗଦାନ କରି ସମସ୍ତ ସଭ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା ରହୁଛି, ବିଶେଷ କରି ସକାଳ ୧୦ ଘ. ଏବଂ ସଂଧ୍ୟା ୬ ଘ. ସମୟରେ ଟ୍ରାଫିକ୍ ସମସ୍ୟା ପ୍ରବଳ ମାତ୍ରାରେ ରହୁଛି । ପିଲାମାନେ ଅଣଦେଖା ଏବଂ ବେପରୁଆ ଓ ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଛନ୍ତି । ଯୁବକଗଣ ମଧ୍ୟ ବେପରୁଆ ଭାବେ ଗାଡି ଚଳାଉଛନ୍ତି ଯଦ୍ବାରା ସେମାନଙ୍କ ଦ୍ବାରା ଦୁର୍ଘଟଣା ଘଟି ଅନ୍ୟ ଲୋକଙ୍କ ଅମୁଲ୍ୟ ଜୀବନ ପ୍ରତି ବିପଦ ଦେଖାଯାଉଛି । ଚଢାଉ କାର୍ଯ୍ୟକୁ ବ୍ୟାପକ କରି ଅଧିକ ଜୋରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ରବ୍ଦ ମଧ୍ୟ କରିବାକୁ ମତ ରଖିଥିଲେ । ବୈଠକ ପ୍ରାରମ୍ଭରେ ରାସ୍ତା ଓ କୋଠାବାଡି ଡିଭିଜନ୍ ଲଂ-୨ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ ଇଂ ତପନ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବୈଠକର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ବୈଠକରେ ଆଲୋଚ୍ୟ ସମସ୍ତ ତଥ୍ୟ ଉପସ୍ଥାପନ କରି ଦୁର୍ଘଟଣା ସ୍ଥାନ ଏବଂ ଏହାକୁ ରୋକିବା ଦିଗରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାରେ ଗତ ୨୦୨୧ ମସିହାରେ ୩୫୪ ଗୋଟି ଦୁର୍ଘଟଣା ରିପୋର୍ଟ ହସ୍ତଗତ ହୋଇଥିଲା ତନ୍ମଧ୍ୟରୁ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୨୩ଜଣ କ୍ଷତବିକ୍ଷତ ହୋଇଥିଲେ । ସେହିପରି ଚଳିତ ୨୦୨୨ ମସିହାରେ ୪୪୧ ଗୋଟି ଦୁର୍ଘଟଣା ରିପୋର୍ଟ ହୋଇଛି । ତନ୍ମଧ୍ୟରୁ ୨୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ୩୨୦ ଜଣ କ୍ଷତ ବିକ୍ଷତ ହୋଇଛନ୍ତି, ଯାହାକି ସମଗ୍ର ରାଜ୍ୟରେ ଅଧିକ । ଖୋର୍ଦ୍ଧା ଜିଲ୍ଲାରେ ଚଳିତ ୨୦୨୨ ମସିହାରେ ସର୍ବାଧିକ ୪୯୯ ଗୋଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୫୯ ଏବଂ ୩୭୨ ଜଣ କ୍ଷତବିକ୍ଷତ ରିପୋର୍ଟ ଅଛି । ଏଥିରୁ ଅନୁମାନ ସାପେକ୍ଷ ଯେ ଖୋର୍ଦ୍ଧା ଜିଲ୍ଲାରେ ହେଲମେଟ୍ ବ୍ୟବହାର ସମସ୍ତେ କରନ୍ତି ଏବଂ ଦୁର୍ଘଟଣା ସ୍ଥଳରେ ଯଥାଶୀଘ୍ର ଆମ୍ବୁଲାନ୍ସ ପହଞ୍ଚିବା ଯୋଗୁଁ ମୃତ୍ୟୁମୁଖରେ କମ୍ ଲୋକ ପଡନ୍ତି । ଏଣୁ ଆମ୍ବୁଲାନ୍ସ୍ ସେବା କିଭଳି ଯଥାଶୀଘ୍ର ଦୁର୍ଘଟଣା ସ୍ଥଳରେ ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ଦୁର୍ଘଟଣାର ମୁଖ୍ୟ କାରଣ ଭିତରେ କ୍ଷିପ୍ର ଗତିରେ ଗାଡି ଚଳାଇବା, ହେଲମେଟ ପରିଧାନ କରି ନଥିବା, ଭୁଲ୍ ପାର୍ଶ୍ବରେ ଗାଡି ଚଳାଇବା, ଓଭରଟେକ୍ କରିବା , ବେପରୁଆ ଗାଡି ଚଳାଇବା, ଅନ୍ୟକୁ ମାଡି ଚାଲିଯିବା, ବିଚାରବନ୍ତ ଗାଡି ନଚଳାଇବା, ନିର୍ଦ୍ଧାରିତ ଲୋକ ବଦଳରେ ଅଧିକ ଲୋକ ଉକ୍ତ ଗାଡିରେ ନେବା (ଓଭରଲୋଡିଂ) ରାସ୍ତାର ବୈଷୟିକ ତୃଟି, ରାସ୍ତା ସଠିକ ନଥିବା, ମଦ୍ୟପାନ କରି ଗାଡି ଚଳାଇବା ଏଭଳି ଅନେକ କାରଣ ରହିଥିବା ଜଣାଇଥିଲେ । ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସକାଶେ ତୁରନ୍ତ ଚିକିତ୍ସାଳୟକୁ ପଠାଇ ସେମାନଙ୍କ ଜୀବନ ବଞ୍ଚାଇଥିବା ହେତୁ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ । ଉକ୍ତ ଆର୍ଥିକ ରାଶିକୁ ମେୟର ଶ୍ରମତୀ ଦଳେଇ ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଥିଲେ । ଠିକ୍ ସେହିଭଳି କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରର ଅବିନାଶ କୁମାର ପାଣିଗ୍ରାହୀଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବେଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ ଅତିରିକ୍ତ କମିଶନର ନୀଳ ମାଧବ ଭୋଇ, ଏମ୍.ଭି.ଆଇ. ରବୀନ୍ଦ୍ର କୁମାର ଜେନା, ଜାତୀୟ ରାଜପଥର ଏନ୍. ହରେକ୍ରିଷ୍ଣା, ଆଞ୍ଚଳିକ ପରିବହନ ଅଧିକାରା ଭଞ୍ଜନଗର ଏସ୍. ଆର୍.ରଏ,ସମସ୍ତ ବିଜ୍ଞାପିତ ଅଞ୍ଚଳ ଓ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବସ୍ ମାଲିକ ସଂଘର ସଭ୍ୟ ଓ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here