ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ନିମନ୍ତେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା

0
283

ଛତ୍ରପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା “ୟାସ୍” କୁ ନେଇ ପ୍ରାକ୍ ପ୍ରସ୍ତୁତି ଏବଂ ତାର ମୁକାବିଲା ନିମନ୍ତେ ହୋଇଥିବା ପ୍ରସ୍ତୁତି ଉପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉପ ଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ବ୍ଲକ୍ ସ୍ତରୀୟ ଓ ଏନ୍.ଏ.ସି. ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ସମ୍ଭାବ୍ୟ ବାତ୍ୟା ପାଇଁ ନିୟୋଜିତ ହେବାକୁ ଥିବା ଯାନ ଗୁଡିକର ଚାଳକ ମାନଙ୍କ ନାମ, ଟେଲିଫୋନ୍ ନମ୍ବର ଆଦି ତଥ୍ୟ ବିଡିଓ ମାନେ ନିଜ ପାଖରେ ରଖିବାକୁ କହିଥିଲେ । ଗର୍ଭବତୀ ମହିଳା, ବୃଦ୍ଧ, ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଯେଉଁ କୋଭିଡ୍ ରୋଗୀ ସଙ୍ଗରୋଧ ରେ ରହୁଛନ୍ତି ସେହିମାନଙ୍କୁ ଚିହ୍ନଟ ଏବଂ କୋଭିଡ୍ ନିୟମ ଅନୁପାଳନ କରି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ରଖିବା ପାଇଁ ଅଲଗା ଯାନ ବ୍ୟବହାର କରାଯିବ । ଓ୍ବାର୍ଡ ସ୍ତରରେ, ଗ୍ରାମ ପଞ୍ଚାୟତ ସ୍ତରରେ, ବ୍ଲକ୍ ସ୍ତରରେ ଅର୍ଥାତ୍ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ଚିହ୍ନଟ ପ୍ରକ୍ରିୟା କରିବା ପାଇଁ ଜିଲ୍ଲାପାଳ କହିଥିଲେ । ଚିହ୍ନଟ କରାଯାଇଥିବା ଆଶ୍ରୟ ସ୍ଥଳ ଗୁଡିକରେ ଶୌଚାଳୟ ଏବଂ ପାନୀୟ ଜଳର ସୁବିଧା ଅଛି କି ନାହିଁ ତାର ତଦାରଖ କରିବା ସହ ବିଦ୍ୟାଳୟ ଆଶ୍ରୟ ସ୍ଥଳୀ ପାଇଁ ନୋଡାଲ୍ ପର୍ସନ୍ ଠିକ୍ କରିବାକୁ ବିଡିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଆଶ୍ରୟ ସ୍ଥଳୀ ଗୁଡିକରେ କୋଭିଡ୍ ରୋଗୀଙ୍କୁ ରଖାଯିବ ସେଠାରେ ଡାକ୍ତରଖାନାର ସୁବିଧା ଅଛି କି ନାହିଁ ତାର ତଦାରଖ କରିବାକୁ ଜିଲ୍ଲାପାଳ କହିଥିଲେ । ନିକଟସ୍ଥ ଯାନ ବାହନ, ଜେସିବି ଚିହ୍ନଟ କରି ରଖିବେ । ସ୍ଥାନୀୟ ଓ୍ବାର୍ଡ ମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଜଣାଇବା ପାଇଁ ବିଡିଓ ମାନଙ୍କୁ କହିଥିଲେ । ପ୍ରବଳ ବର୍ଷା ଓ ବାତ୍ୟା ହେଲେ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଣୁ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ମାନେ ବ୍ଲକ୍ ଗୁଡିକରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତି ହୋଇଛି ତାର ତଦାରଖ କରିବେ । ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡିକରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ । ଘୋଡାହାଡ, ବାଘଲଟି, ବାଘୁଆ, ଡହ ଆଦି ଜଳଭଣ୍ଡାର ଗୁଡିକର ଜଳ ପତ୍ତନ ପ୍ରତିମୁହୂର୍ତ୍ତରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଜଣାଇବେ । ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ରମ୍ଭା ଓ ଖଲ୍ଲିକୋଟ ଉପକୂଳବର୍ତ୍ତୀ ବ୍ଲକ୍ ଅଞ୍ଚଳର ବିଡିଓ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ମାନେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିବେ । ସ୍ଥାନୀୟ ସରପଞ୍ଚ, ଓ୍ବାର୍ଡମେମ୍ବର ମାନଙ୍କ ସହ ଆଲୋଚନା କରି କେଉଁଠି କଚ୍ଚାଘର, ପୁରୁଣା କୋଠା, ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ସଂପୃକ୍ତ ବିଡିଓ ମାନେ ସୂଚନା ସଂଗ୍ରହ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବେ । ବିଦ୍ୟାଳୟ ଗୁଡିକରେ କେତେ କୋଠରୀ ଅଛି, ପ୍ରତି କୋଠରୀରେ କୋଭିଡ୍ ନିୟମ ଅନୁପାଳନ କରି କେତେ ଜଣଙ୍କୁ ରଖାଯାଇ ପାରିବ ସେହି ଅନୁସାରେ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ । ଆର୍.ଟି.ପି.ସି.ଆର୍. ଟେଷ୍ଟ ବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ବିଡିଓ ମାନଙ୍କୁ କହିଥିଲେ । ବିନାନୁମତିରେ ହେଉଥିବା ବାହାଘର ଗୁଡିକ ଉପରେ ଚଢାଉ ଯୋରଦାର କରିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଙ୍ଗରୋଧ ଗୃହରେ ଥିବା କୋଭିଡ୍ ରୋଗୀଙ୍କ ସହ ମେଡିକାଲ୍ ଅଫିସର୍ ଭିଡିଓ କଲ୍ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବାକୁ କହିଥିଲେ । ସମସ୍ତ ଲାଇନ୍ ବିଭାଗ ଅଲଗା ଅଲଗା କଣ୍ଟ୍ରୋଲ୍ ରୁମ୍ କରି ସୁପରିଚାଳନା କରିବେ । କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ବିନାନୁମତିରେ ନିଜ ସଦର ମହକୁମା ଛାଡିପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଆଇନ୍ ଅନୁଯାୟୀ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ କହିଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ. କିର୍ତ୍ତୀ ଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲିନା କୁମାରୀ ଖେସ୍, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here