ବିଧାୟକଙ୍କ ଉପସ୍ଥିତରେ ଆଦିପୁର ଗ୍ରାମବାସୀ ଓ ମହନ୍ତଙ୍କ ମଧ୍ୟରେ ଆପୋଷ ବୁଝାମଣା

0
334

ବୁଗୁଡ(ଅନିଲ କୁମାର ମହାରଣା) ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ଆଦିପୁର ଗ୍ରାମବାସୀ ଓ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ମହନ୍ତଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି। ଆଦିପୁର ଗ୍ରାମବାସୀ ବୃନ୍ଦ ଦୀର୍ଘ ଦୁଇ ଶହ ବର୍ଷରୁ ଅଧିକ ସମୟ ଧରି ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଜମିରେ ଘରଦ୍ୱାର କରି ବସବାସ କରି ଆସୁଥିବା ସହ ବିଭିନ୍ନ ସରକାରୀ ଅନୁଷ୍ଠାନ ସେହି ଜମିରେ ପ୍ରତିଷ୍ଠିତ ହୋଇଅଛି। ହେଲେ ଆଦିପୁର ଗ୍ରାମ ବାସିନ୍ଦାଙ୍କ ବାସଗୃହ ପ୍ରମାଣ ପତ୍ର ହୋଇନଥିବା ଯୋଗୁଁ ସେମାନଙ୍କ ନାମରେ ଘରବାରୀ ପଟ୍ଟା ଦେବାକୁ ଦାବୀକରି ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ଆସିକା – କରସିଙ୍ଗି ରାଜ୍ୟ ରାଜରାସ୍ତ ଉପରେ ଆଦିପୁର ଗ୍ରାମବାସୀ ଧାରଣା ଦେଇଥିଲେ। ଯାହା ଫଳରେ ସକାଳ ୭ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପ୍ରଶାସନ ବହୁ ଚେଷ୍ଟା କରି ବୁଝାଇ ରାସ୍ତା ଅବରୋଧ ହଟାଇବା ସହ ୨୯ ତାରିଖରେ ତହସିଲଦାର, ବିଡ଼ିଓ, ଆଇଆଇସି, ମହନ୍ତ ଓ ଆଦିପୁର ଗ୍ରାମର ୧୫ ଜଣଙ୍କୁ ନେଇ ଆଲୋଚନା ହୋଇଥିଲା। ଅଢେଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବୀ ବିଷୟରେ କିଛି ଅଗ୍ରଗତି ନହେବା ଯୋଗୁଁ ପୁନର୍ବାର ଅସନ୍ତୋଷ ପ୍ରକାଶ ପାଇଥିଲା। ତାହାର ସମାଧାନ ପାଇଁ ନଭେମ୍ବର ୧୭ ତାରିଖ ଦିନ ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡ଼ିଓ ତନ୍ମୟ ପାତ୍ର, ଆଇଆଇସି ଚିତ୍ତରଞ୍ଜନ ବେହେରା, ମହନ୍ତ ଭକ୍ତରାମ ଦାସ, ଓ ଆଦିପୁର ଗ୍ରାମବାସୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏକ ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହେଲା ଯେ ଆଦିପୁର ଗ୍ରାମବାସୀବୃନ୍ଦ ଘରକରି ରହିଥିବା ଜାଗାକୁ ତହସିଲଦାର ସେମାନଙ୍କ ଅଧିକାର ସ୍ୱତ୍ତ ପ୍ରମାଣ ପତ୍ର ପ୍ରଦାନ କରିବେ। ଆଦିପୁର ଗ୍ରାମବାସୀ ବୃନ୍ଦ ଦେବୋତ୍ତର ବିଭାଗକୁ ସ୍ୱତ୍ତ ପ୍ରଦାନ ପାଇଁ ଆବେଦନ କରିବେ। ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ମହନ୍ତ ଓ ଗ୍ରାମବାସୀ କହିମଧ୍ୟ ଜମି ଉପରକୁ ଯିବେନାହିଁ। ଶ୍ରୀ ବିରଞ୍ଚିନାରାୟଣ ଠାକୁରଙ୍କ ନୀତିକାନ୍ତି ଓ ମହନ୍ତଙ୍କ ପ୍ରତିପୋଷଣ ପାଇଁ ବିଧାୟକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ। ଦିନ ଧାର୍ଯ୍ୟ କରାଯାଇ ପୁନର୍ବାର ବୈଠକ ଅନୁଷ୍ଠିତ ହୋଇ କମିଟି ଗଠନ ସହ ବିସ୍ତୃତ ଭାବରେ ଆଲୋଚନା କରାଯିବ।

LEAVE A REPLY

Please enter your comment!
Please enter your name here