ଗୋପାଳପୁର ବେଳାଭୂମିରେ ସତର ଫୁଟର ମୃତ ତିମି ଠାବ l

0
562

ଗୋପାଳପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : : ରବିବାର ପୂର୍ବାହ୍ଣରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏକ ବିରାଟ ପୁରୁଷ ତିମି (ହ୍ୱେଲ୍ ଶାର୍କ) ମୃତ ଅବସ୍ଥାରେ ଠାବ କରାଯାଇଛି । ଏହାର ଓଜନ ପ୍ରାୟ ୨ ଟନ୍ ଥିବାବେଳେ ଗୋଲେଇ ପ୍ରାୟ ୮ ଫୁଟ ଏବଂ ଲମ୍ବ ୧୬ ଫୁଟ ୪ ଇଞ୍ଚର ବୋଲି ଜଣାଯାଇଛି ।

ପ୍ରାପ୍ତ ବିବରଣୀରୁ ପ୍ରକାଶ, ଗୋପାଳପୁର ନିକଟସ୍ଥ ନୂଆବକ୍ସିପଲ୍ଲୀରେ ଶନିବାର ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ୩ଟି ତିମି ମାଛ ଲାଗିଥିଲା । ତେବେ ସେମାନେ ୨ଟିକୁ ଜାଲରୁ ମୁକ୍ତ କରି ଦେଇଥିଲେ । ଏହାପରେ ତିମି ଦୁଇଟି ପୁଣି ସମୁଦ୍ର ଗଭୀର ଜଳକୁ ଫେରି ଯାଇଥିଲେ । ମାତ୍ର ଆଉ ଏକ ତିମି ସମୁଦ୍ର ଭିତରକୁ ଯାଇନପାରି ଉପକୂଳ ବାଲୁକା ଶଯ୍ୟାକୁ ଚାଲି ଆସିଥିଲା । ମତ୍ସ୍ୟଜୀବୀ ମାନେ ତାହାକୁ ସେମିତି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଇଥିଲେ । ଉକ୍ତ ତିମି ରବିବାର ପୂର୍ବାହ୍ଣରେ ଗୋପାଳପୁର ବତୀଘର ନିକଟ ସମୁଦ୍ର ଉପକୂଳ ପାଖରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ଲହଡ଼ିରେ ତିମିଟି ନୂଆବକ୍ସିପଲ୍ଲୀରୁ ଏପଟକୁ ଭାସି ଆସିଥିବା ଅନୁମାନ କରାଯାଉଛି । ବନବିଭାଗ ଓ ପୁଲିସ୍ ଉପସ୍ଥିତିରେ ତିମିକୁ ବାଲିରେ ପୋତି ଦିଆଯାଇଛି ।

ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍ ଶାର୍କ ପ୍ରଜାତିର ବୋଲି କହିଛନ୍ତି ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜେଡ୍ଏସ୍ଆଇ) ଗୋପାଳପୁର କେନ୍ଦ୍ରର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର । ବଙ୍ଗୋପସାଗର ଜଳପୃଷ୍ଠରେ ଉତ୍ପନ୍ନ ପ୍ଲାଙ୍କ୍ଟନ୍ (ସାମୁଦ୍ରିକ ଶୈବାଳ ବା ଗୁଳ୍ମ ଉଦ୍ଭିଦ) ଖାଇବାକୁ ବଙ୍ଗୋପସାଗରର ଅନ୍ୟ ଭାଗରୁ ଓଡ଼ିଶା ଉପକୂଳକୁ ହ୍ୱେଲ୍ ଶାର୍କମାନେ ସାଧାରଣତଃ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆସିଥାନ୍ତି ବୋଲି ସେ କହିଛନ୍ତି । ଏହାର ସାଧାରଣ ମୃତ୍ୟୁ ଘଟିଥିବା ସେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here