ଅପହୃତ ଯୁବକ ଉଦ୍ଧାର; ୨ ଗିରଫ

0
587

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ସମ୍ପାଦକ ପ୍ରଣୟ ପଣ୍ଡା) : ଯୁବକଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ରଖି ଟଙ୍କା ଦାବି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏସ.ଡ଼ି.ପି.ଓ ବିଷ୍ଣୁ ପତିଙ୍କ ସୂଚନା ଅନୁଯାୟୀ, ଅପହୃତ ଯୁବକ ଜଣକ ସହରସ୍ଥ ଗୋଦାବରୀଶ ନଗରରେ ରହୁଥିବା ଶୁଭାଶିଷ ପାତ୍ର । ଗତ ୭ ତାରିଖ ଦିନ ତାଙ୍କୁ ସିଟି ହାଇସ୍କୁଲ ନିକଟରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ । ସେମାନେ ପ୍ରଥମେ ଶୁଭାଶିଷଙ୍କ ମା’ ଅର୍ପିତାଙ୍କୁ ୧ଲକ୍ଷ ଟଙ୍କା ଓ ୨ ଦିନ ପରେ ୩ଲକ୍ଷ ୪୦ ହଜାର ଟଙ୍କା ଦେଲେ ତୁମ ପୁଅକୁ ଫେରାଇ ଦିଆଯିବ ବୋଲି ଫୋନ୍ରେ ଧମକ ଦେଇଥିଲେ। ଏ ନେଇ ଅର୍ପିତା ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ କେସ୍ ନଂ ୫୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ ଟ୍ରାକିଂ ଜରିଆରେ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ଦାସ ଓ ତାଙ୍କ ଟିମ ଗତକାଲି ରାତିରେ ଅଭିଯୁକ୍ତ ଦୁଇଭାଇଙ୍କୁ ଲକ୍ଷ୍ମୀନୃସିଂହନଗର ୭ମ ଗଳି ସ୍ଥିତ ବାସଭବନରୁ ଗିରଫ କରିବା ସହ ଶୁଭାଶିଷଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଦୁଇ ଭାଇ ହେଲେ ବାଲାଜୀ ବେହେରା (୨୫) ଓ ତାଙ୍କ ସାନ ଭାଇ ଶିବାଜୀ ବେହେରା (୨୨) । ଅପହୃତ ଯୁବକ ଶୁଭାଶିଷ ପାତ୍ରଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କ ଜିମା ଦେଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଦୁଇ ଭାଇ ସିଟି ହାଇସ୍କୁଲ ରୋଡ଼ରେ ଚା’ଦୋକାନ କରିଥିବା ବେଳେ ସେମାନେ ପୋଲସରାର ମୂଳ ନିବାସୀ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here