ସମ୍ପତ୍ତି ଆଗରେ ତୁଚ୍ଛ ମା’ର ମମତା;ଘର ବାରଣ୍ଡାରେ ପଡି ରହିଲା ମା’ର ଶବ

0
565

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରର ଦ୍ୱିତୀୟ ଗଳିରେ ଘର ବାରଣ୍ଡାରେ ୫ ଘଣ୍ଟା ଧରି ପଡ଼ି ରହିଲା ସୂର୍ଯ୍ୟମଣୀ ସାହୁଙ୍କ ଶବ । ସୂଚନା ଅନୁଯାୟୀ, ଶ୍ରୀରାମନଗର ଦ୍ୱିତୀୟ ଗଳିରେ ରହୁଥିବା ସୂର୍ଯ୍ୟମଣୀ ସାହୁଙ୍କ ସ୍ୱାମୀ ତାରା ଚରଣ ସାହୁ ଜଣେ ଆର୍ମି ଅଫିସର ଥିଲେ। ୨୦୧୨ ମସିହାରେ ସ୍ୱାମୀ ମରିଯିବା ପରେ ସେ ତାଙ୍କ ବଡ ଝିଅ ମୀନା କୁମାରୀ ସାହୁଙ୍କ ସହ ରହୁଥିଲେ। ଗତ କିଛିବର୍ଷ ହେଲା ସୂର୍ଯ୍ୟମଣିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁଁ ତାଙ୍କ ବଡ ଝିଅ ମୀନା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା କରୁଥିଲେ। ସୂର୍ଯ୍ୟମଣୀଙ୍କ ଅନ୍ୟ ୩ ଜଣ ଝିଅ ସନ୍ଧ୍ୟାରାଣୀ ସାହୁ, ସଂଯୁକ୍ତା ସାହୁ ଏବଂ ଅରୁଣା ସାହୁ ବ୍ରହ୍ମପୁର ସହରର ନିଜ ନିଜ ଘରେ ରହୁଥିଲେ। ଗତ ସପ୍ତାହ ହେଲା ସୂର୍ଯ୍ୟମଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅପରାହ୍ନରେ ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା। ସୂର୍ଯ୍ୟମଣୀଙ୍କ ମୃତଦେହକୁ ତାଙ୍କ ବଡ ଝିଅ ଏବଂ ପିଲାମାନେ ତାଙ୍କ ନିଜ ଘର ଶ୍ରୀରାମନଗର ଦ୍ୱିତୀୟ ଲାଇନକୁ ଆଣିଥିଲେ। ଏହି ଖବର ପାଇ ଅନ୍ୟ ୩ ଜଣ ଝିଅ ଉକ୍ତ ଘରେ ଚାବି ପକାଇ ଦେଇଥିଲେ। ସନ୍ଧ୍ୟା ୪ଟା ସମୟରୁ ମୃତଦେହ ରାତି ୯ଟା ପର୍ଯ୍ୟନ୍ତ ବାରଣ୍ଡାରେ ପଡ଼ି ରହିଥିଲା।ଝିଅମାନଙ୍କ ନଜର ଥିଲା ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ। ସମ୍ପତ୍ତି ପାଇଁ ବର୍ଷ ବର୍ଷ ଧରି ସେମାନଙ୍କ ମଧ୍ୟରେ କଳି ଲାଗି ରହିଥିବା ବେଳେ ଗତକାଲି ତାହା ଘରୁ ବାହାରି ଦାଣ୍ଡରେ ପହଞ୍ଚିଥିଲା ସମ୍ପତ୍ତି ଲୋଭରେ ଅନ୍ଧ ଚାରି ଝିଅ ଘର ଦାଣ୍ଡରେ ମା’ର ଶବକୁ ଘଣ୍ଟା ଘଣ୍ଟା ପକାଇ ରଖିଲେ। ଏଥିପାଇଁ ସେମାନଙ୍କ ମୁହଁରେ ତିଳେ ମାତ୍ର ଅନୁଶୋଚନା ଦେଖିବାକୁ ମିଳି ନଥିଲା। ଶେଷରେ ପୁଲିସ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪ ଝିଅଙ୍କୁ ବୁଝାସୁଝା କରାଯାଇ ଘରର ଚାବି ଖୋଲି ମୃତଦେହକୁ ଘର ଭିତରକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here