ସାଉଥକୋର ବିଜୁଳିକାଟ ଅଭିଯାନ

0
575

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ) : ସେସକୋ ପରେ ଏବେ ଦକ୍ଷିଣ ଓଡିଶାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ । ସାଉଥକୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବକେୟା ବିଦ୍ୟୁତ୍ ବିଲ୍କୁ ନେଇ ଉଭୟ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କଟା ଯାଇଥିଲା। ଯେଉଁମାନେ ବକେୟା ବିଲ୍ର ୬୦ ପ୍ରତିଶତ ବିଲ୍ ଦେଇଥିଲେ, ସେମାନଙ୍କ ବିଦ୍ୟୁତ୍ କଟାଯାଇନଥିଲା। ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ଯେଉଁ ଉପଭୋକ୍ତାଙ୍କ ଅଧିକ ପରିମାଣରେ ଟଙ୍କା ବାକି ଅଛି, ସେମାନଙ୍କଠାରୁ ବିଭାଗୀୟ କର୍ମଚାରୀମାନେ କିଛି ଟଙ୍କା ନେଇ କିସ୍ତିରେ ବାକି ଟଙ୍କା ଦେବାକୁ ପରାମର୍ଶ ଦେଇଛନ୍ତି। ୫ ମାସରୁ ଉର୍ଦ୍ଧ କିମ୍ଭା ୫ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଉଛି । ଯେଉଁ ଗ୍ରାହକ ଘଟଣାସ୍ଥଳରେ ବିଲ ପୈଠ କରୁଛନ୍ତି, ସେମାନଙ୍କ ବିଦ୍ୟୁତ ସଂଯୋଗ ବିଛନ୍ନ କରାଯାଉନାହିଁ ।ଏହା ଦ୍ୱାରା ୧୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପ୍ରାୟ ୧୩ଶହ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ଥିବା ଜଣା ପଡିଛି । ଏହାସହ ସାଉଥ ଜୋନ୍ର ୮ଟି ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ସେହିପରି ନର୍ଥ ଇଷ୍ଟରେ ଥିବା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବାଲେଶ୍ୱର ଜିଲ୍ଲାରେ ୩୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ ସ୍ଥାନରେ ଏହି ପ୍ରକ୍ରିୟା ଜାରି ରହିଛି।

LEAVE A REPLY

Please enter your comment!
Please enter your name here