ଅନିଲ ଜେନା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାପି ଓ ହାପି ଗିରଫ, ବନ୍ଧୁକ, ୨ଟି ବାଇକ୍ ଜବତ l

0
585

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ବାହାଦଲପୁରରେ ଅନୀଲ ଜେନା ହତ୍ୟା ଘଟଣା ଉପରୁ ପରଦା ହଟାଇଛି ଖଣ୍ଡଗିରି ଥାନା ପୁଲିସ୍ । ଦୁର୍ଦ୍ଦାନ୍ତ ଅପରାଧୀ ସରକନ୍ତାର ଗାଁର ଭରତ ସାହୁ ଓରଫ ହାପି (୨୯) ଓ ସହଯୋଗୀ ବାହାଦଲପୁର ଗାଁର ଦୁର୍ଗା ପ୍ରସାଦ ସାହୁ ଓରଫ ବାପି (୨୬)ର ରାସ୍ତାରେ ଅନୀଲ୍ କଣ୍ଟା ସାଜିବାରୁ ଏହି ଦୁଇ ଜଣ ତାଙ୍କୁ ହତ୍ୟା କରିଥିଲେ । ଦେଢ଼ ମାସ ପରେ ସୋମବାର ବିଳମ୍ବିତ ରାତିରେ ହାପି ଓ ବାପିକୁ ଖଣ୍ଡଗିରି ଥାନା ପୁଲିସ୍ ଓ ଡିସିପିଙ୍କ ସ୍ପେଶାଲ୍ ସ୍କ୍ୱାଡ୍ ଟିମ୍ ରାୟଗଡ଼ା ଜିଲ୍ଳା ଚାନ୍ଦିଲି ଥାନା ହାତୀଖମ୍ବ ଗାଁରୁ ଗିରଫ କରିଛନ୍ତି । ଏମାନଙ୍କ ଠାରୁ ୨ ଟି ବାଇକ୍, ୧ ଟି ବନ୍ଧୁକ ଜବତ କରାଯାଇଛି ବୋଲି ପୁଲିିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ରାଜା ଏବେ ବି ଫେରାର ଥିବା କମିଶନର କହିଛନ୍ତି l

କ’ଣ ପାଇଁ ହତ୍ୟା କଲେ: ବାହାଦଲପୁର ଓ ସରକନ୍ତରାରେ ବ୍ରାଉନ୍ ସୁଗର ବେପାର କରୁଥିଲେ ହାପିର ଅନ୍ୟ ଜଣେ ସହଯୋଗୀ ଆଲୋକ ପ୍ରଧାନ। ଅନୀଲ ଏହାକୁ ବିରୋଧ କରୁଥିଲେ । ଗତ ଦୀପାବଳି ଦିନ ଅନୀଲଙ୍କ ପୁତୁରାକୁ ଏମାନେ ବ୍ରାଉନ୍ସୁଗର ଖୁଆଇ ଥିଲେ । ଏହାପରେ ଅନୀଲ ଗାଁର କିଛି ଯୁବକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ । ଆଲୋକକୁ ଏକ ନିରୋଳା ସ୍ଥାନକୁ ଡାକି ନିଶା ବେପାର ବନ୍ଦ କରିବାକୁ କହିବା ସହ ମାଡ଼ ମାରିଥିଲେ । ଅଲୋକ ଘଟଣା ବିଷୟରେ ହାପିକୁ ଜଣାଇବା ପରେ ହାପି ଅନୀଲକୁ ଫୋନ୍ କରି ଧମକ ଚମକ ଦେଇଥିଲେ । ନଭେମ୍ବର ୬ ତାରିଖରେ ହାପିର ଜନ୍ମ ଦିନ ଥିଲା । ସେଦିନ ହାପି, ବାପି, ରାଜା, ଆଲୋକ, ପୁଲିକ୍ ହାତୀ, ଚିତ୍ତ ରଞ୍ଜନ ପରିଜା ଓ ଅନ୍ୟ କିଛି ସହଯୋଗୀମାନେ ପୁରୀ ଯାଇଥିଲେ । ଏହି ସମୟରେ ତାଙ୍କୁ ଖବର ମିଳିଥିଲା ଅନୀଲ ଗାଁରେ ବୈଠକ ଡାକିଛି । ଉକ୍ତ ବୈଠକ ମୂଳ ଲକ୍ଷ୍ୟ ହେଉଛି ଗାଁରୁ ନିଶା ବେପାର ବନ୍ଦ କରିବା l ଏହି ଖବର ପାଇ ହାପି ଅନୀଲ୍କୁ ଫୋନ୍ କରି ହତ୍ୟା କରିବ ବୋଲି ଧମକ ଦେଇଥିଲା । ଏଇଠୁ ଆରମ୍ଭ ହୋଇଥିଲା ଅନୀଲଙ୍କୁ ଜୀବନରେ ମାରିବାକୁ ଯୋଜନା । ନଭେମ୍ବର ୭ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ଅନୀଲଙ୍କ ବାପା ଅଭିମନ୍ୟୁ ଘର ପାଖରେ ଥିବା ଶିବମନ୍ଦିର ବେଢ଼ାରେ ଝାଡୁ ମାରୁଥିଲେ । ମନ୍ଦିର ପାଖ ଦୋକାନ ବାହାରେ ବସିଥିଲେ ଅନୀଲ୍ । ଏହି ସମୟରେ ଏକ ବାଇକ୍ରେ ହାପି, ବାପି ଓ ରାଜା ସେଠାରେ ପହଞ୍ଚି ଅନୀଲକୁ ଡାକିଥିଲେ । ରାଜା ଗାଡ଼ି ଚଲାଉଥିଲା । ପଛରେ ବସିଥିଲେ ହାପି ଓ ବାପି । ଏମାନଙ୍କ ହାତରେ ୨ ଟି ବନ୍ଧୁକ ଥିଲା । ଅନୀଲ୍କୁ ଏମାନେ ପାଖକୁ ଡାକିଥିଲେ । ଅନୀଲ ସେମାନଙ୍କ ପାଖକୁ ଆସିବା କ୍ଷଣି ତାଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା । ଏହା ଦେଖି ଅନୀଲଙ୍କ ବାପା ଅଭିମନ୍ୟୁ ଏମାନଙ୍କୁ ଧରିବାକୁ ଧାଇଁଥିଲେ । ବାପି ତାଙ୍କ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ହେଲେ ଘଟଣାସ୍ଥଳରେ ବାଇକ୍ ଛାଡ଼ି କିଛି ଦୂରରେ ଲୁଚି ରହିଥିଲେ । ରାଜା ଆଉ ଏକ ବାଇକ୍ ଯୋଗାଡ଼ କରି ଦୁଇଜଣଙ୍କୁ ନେଇ ସେଠାରୁ ଚମ୍ପଟ ମାରିଥିଲା ।

ମାଟିରେ ପୋତିଥିଲା ୨ ଟି ବନ୍ଧୁକ : ହାପି ନିଜ ପାଖରେ ସବୁବେଳେ ବନ୍ଧୁକ ରଖୁନଥିଲା । କାଳେ କିଏ ଦେଖି ଦେବ ସେଥିପାଇଁ ଘରେ ବନ୍ଧୁକ ନ ରଖି ମାଟି ତଳେ ପୋତି ଦେଉଥିଲା । ଜେରା ସମୟରେ ପୁଲିସ୍ ତା’ଠାରୁ ଏମିତି ତଥ୍ୟ ପାଇଛି । ହାପି କାହା ଠାରୁ ବନ୍ଧୁକ ଆଣିଥିଲା, ତାହା ଜାଣିବାକୁ ପୁଲିସ୍ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଖାଲି ବନ୍ଧୁକ ନୁହେଁ, ଖଣ୍ଡା, ଭୁଜାଲି, ଚାପଡ଼ ମଧ୍ୟ ହାପି ଘରେ ରଖିଛି । ପୂର୍ବରୁ ହତ୍ୟା କରି ଜେଲ୍ ଯାଇଥିବାରୁ ଗାଁରେ ତାକୁ ସମସ୍ତେ ଭୟ କରନ୍ତି ।

ଖୋର୍ଦ୍ଧାରେ ଲୁଚିଥିଲେ: ହାପି ଖୋର୍ଦ୍ଧାରେ ବେଆଇନ୍ ପଥରଖଣିରୁ ଚୋରାରେ ପଥର ବିକ୍ରି କରୁଥିଲା । ହତ୍ୟା କରିବା ପରେ ହାପି ଓ ବାପି ଖୋର୍ଦ୍ଧାରେ ଲୁଚି ରହିଲେ । ରାଜା ଘର ଗଞ୍ଜାମ ଜିଲ୍ଳାରେ ହୋଇଥିବାରୁ ସେ କେଉଁଆଡ଼େ ଚାଲି ଯାଇଥିଲା । ଏପଟେ ଏମାନଙ୍କୁ ଧରିବା ପାଇଁ ପୁଲିସର ଅନେକ ଯୋଜନା ଫେଲ୍ ମାରିଥିଲା । ପୁଲିସ୍ ପ୍ରଥମେ ଆଲୋକ, ପୁଲିକ୍ ଓ ଚିତ୍ତକୁ ଗିରଫ କରିଥିଲା । ଏହାପରେ ଏମାନଙ୍କ ଠାରୁ ହାପି ଓ ବାପି ବିଷୟରେ ତଥ୍ୟ ପାଇଥିଲା । ଗତ ଶନିବାର ଦିନ ପୁଲିସ୍ ଜାଣିବାକୁ ପାଇଥିଲା ହାପି ଓ ବାପି ରାୟଗଡ଼ା ଚାନ୍ଦିଲି ଥାନା ଅଞ୍ଚଳରେ ଲୁଚିଛନ୍ତି । ପୁଲିସ୍ ସେଠାରେ ଡେରା ପକାଇଥିଲା । ଗତକାଲି ଉଭୟଙ୍କୁ ସେଠାରୁ ଗିରଫ କରିଥିଲା ।

ଅଭିଯୁକ୍ତଙ୍କୁ ଖୋଜିବାରେ ଦେଢ଼ ଲକ୍ଷ ଖର୍ଚ୍ଚ

ପୁଲିସ୍ ଠାରୁ ଦୁଇ ପାଦ ଆଗରେ ଚାଲୁଥିଲେ ହାପି ଓ ବାପି । ଏମାନଙ୍କୁ ଧରିବା ପାଇଁ ଖଣ୍ଡଗିରି ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ୪୫ ଦିନରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଗାଡ଼ିରେ ତେଲ ପକାଇବା, ଖାଇବା ଓ ରହିବାରେ ଏହି ସବୁ ଟଙ୍କା ଖର୍ଚ୍ଚ ହୋଇଛି । ଏ ସବୁ ଟଙ୍କା ପୁଲିସ୍ କର୍ମଚାରୀମାନେ ମିଳିତ ଭାବେ ନିଜ ପକେଟରୁ ଖର୍ଚ୍ଚ କରିଛନ୍ତି । ଏମିତିକି ଅଭିଯୁକ୍ତକୁ ଧରିବାକୁ ଗଞ୍ଜାମ ଯାଇ ୭ ଦିନ ଡେରା ପକାଇଥିଲେ ପୁଲିସ୍ । ଟଙ୍କା ସରିଯିବାରୁ ସୁନା ମୁଦି ବିକ୍ରି କରି ସେଠାରୁ ଭୁବନେଶ୍ୱର ଆସିଥିଲେ । ବଡ଼ କଥା ହେଲା ଗତ ୪ ଦିନ ହେବ ପୁଲିସ୍ ରାସ୍ତା କଡ଼ରେ ଶୋଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here