ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ‘ୱାଟର ବେଲ୍’ ବ୍ୟବସ୍ଥା

0
830

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ସୁସ୍ଥ ଶରୀର ପାଇଁ ଉଚିତ ପରିମାଣର ଜଳ ନିତ୍ୟାନ୍ତ ଆବଶ୍ୟକ । ଏଣୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଜଳର ମହତ୍ଵକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ଉଚିତ ସମୟରେ ଉଚିତ ପରିମାଣରେ ପାଣି ପିଇଲେ ଶରୀର ସୁସ୍ଥ ରହିବା ସହ ଅଧାରୁ ଅଧିକ ରୋଗ ଦୂର ହୋଇଥାଏ । ସ୍କୁଲରେ କିଭଳି ପିଲାମାନେ ଠିକ୍ ସମୟରେ ପାଣି ପିଇବେ ସେଥିପାଇଁ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଆମ ଶରୀରରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ମସ୍ତିସ୍କ ଓ ହୃଦୟରେ ୭୩%,ଫୁସଫୁସରେ ୮୩%,ଚର୍ମରେ ୬୪%,ମାଂଶପେଶି ଓ ବୃକକରେ ୭୯% ଏବଂ ରକ୍ତରେ ଜଳର ପରିମାଣ ୯୦ପ୍ରତିଶତ ରହିଥାଏ । ନଭେମ୍ବର ୨୫ରୁ ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲରେ ଏହା ଲାଗୁ କରାଯିବା ସହ ସମୟ ସମୟରେ ପିଲାମାନଙ୍କୁ ପାଣି ପିଇବା ପାଇଁ ୱାଟର ବେଲ୍ ବଜାଯିବ, ଯାହାକୁ ଶୁଣିବା ପରେ ପିଲାମାନେ ପାଣି ପିଇବେ। ସୋମବାରରୁ ଶୁକ୍ରବାର ଦିନ ୧୧.୪୦, ୧.୩୦ ଓ ୩.୧୫ ସମୟରେ ୱାଟର ବେଲ ବାଜିବା ସହ ଶନିବାର ଦିନ ୮.୦୦,୯.୩୦ ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ୍ ବାଜିବ। ଏହା ପିଲାମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବ। ଘଣ୍ଟା ବାଜିବା ମାତ୍ରେ ଛାତ୍ରଛାତ୍ରୀମାନେ ଏକକାଳୀନ ପାଣି ପିଇବେ। ଯେଉଁମାନେ ଘରୁ ପାଣି ନେଇ ଆସନ୍ତି ନାହିଁ, ସେମାନଙ୍କ ପାଇଁ ୫ମିନିଟ୍ ଜଳପାନ ବିରତି ରଖାଯିବ, ଯାହାଦ୍ୱାରା ସେମାନେ ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇ ପାରିବେ। ଏହି ନିୟମ ପରେ ମାତା-ପିତାଙ୍କୁ ପାଣି ବୋତଲ ଦେଇ ସ୍କୁଲ ପଠାଇବା ପାଇଁ ଅନୁରୋଧ କରାଯିବ। ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ର-ଛାତ୍ରୀମାନଙ୍କୁ ପାଣିର ଉପଯୋଗିତା ଉପରେ ସଚେତନ କରାଇବେ। ଏବଂ ବାଦାନ୍ୟ ବ୍ୟକ୍ତି, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଲୋକ ପ୍ରତିନିଧିମାନଙ୍କୁ ସ୍କୁଲକୁ ପାଣି ବୋତଲ ଯୋଗାଇଦେବା ନେଇ ଅନୁରୋଧ କରାଯିବ। ଅଧିକାଂଶ ଛାତ୍ରଛାତ୍ରୀମାନେ ସ୍କୁଲ୍ରେ ପାଣି ପିଇ ନଥାନ୍ତି ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହାର ନିରାକରଣ ପାଇଁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବାକୁ ପ୍ରବର୍ତ୍ତାଇବା ପାଇଁ ୱାଟର ବେଲର ପ୍ରଚଳନ ନେଇ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here