ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁରରେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଆ କା ମା ବୈ ଧ୍ୱନିରେ ବେଳାଭୂମି ପ୍ରକମ୍ପିତ।

0
684

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ବୋଇତ ବନ୍ଦାଣ ଉତ୍ସବ ଆସିଲେ ମନେ ପଡେ ନୌବାଣିଜ୍ୟ କଥା। ମନେ ପଡେ ଆମ ସଭ୍ୟତାକୁ ବଜାୟ ରଖିଥିବା ସେହି ସାଧବ ପୁଅଙ୍କ କଥା ଓ ଗାଥା। ଆମେ ସମସ୍ତେ ଓଡିଆ ଆମର ଗୌରବମାୟ ସଂସ୍କୃତି ଏବଂ ପରମ୍ପରାକୁ ଅକ୍ଷୁର୍ଣ ରଖିବା ଉଚିତ। ଶରତ ଋତୁର ପ୍ରାରମ୍ଭରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରତ୍ୟେକ ପ୍ରାନ୍ତରେ ବୋଇତ ବନ୍ଦାଣ ଉତ୍ସବ ଆଡମ୍ବରରେ ପାଳିତ ହୋଇଥାଏ। ଏହି ଉତ୍ସବ କାହିଁ କେଉଁ କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ। ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ ସହ ଗୁଆ, ଧୂପ, ଦୀପ ଦେଇ ନଦୀ, ନାଳ କିମ୍ବା ପୋଖରୀ ଅଭିମୁଖେ ବାହାରି ଥାନ୍ତି। ବାସ୍ତବରେ ଏହି ପରମ୍ପରା ସହ ଜଡିତ ଆମର ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟ ବ୍ୟବସାୟ। ସେତେବେଳେ ଉତ୍କଳୀୟମାନେ କୃଷି ସହିତ ବ୍ୟବସାୟ ବାଣିଜ୍ୟ କରି ପରିବାର ପୋଷଣ କରୁଥିଲେ। ଯେହେତୁ ଆମ ଚାଷ କାର୍ଯ୍ୟ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉଥିଲା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା। ଏହି ସମୟରୁ ଆକାଶ ମେଘମୁକ୍ତ ହେବା ସାଙ୍ଗକୁ ପଶ୍ଚିମ ପବନ ବୋଇତକୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସହାୟକ ହେଉଥିଲା। ତେଣୁ ଆମ ରାଜ୍ୟର ବଣିକ ସାଧବ ପୁଅ ଏହି ସମୟରୁ ଜାଭା, ସୁମାତ୍ରା, ବାଲି, ବର୍ଣ୍ଣିଓ ଏବଂ ଶ୍ରୀଲଙ୍କା ଆଦି ଦେଶ ଅଭିମୁଖେ ବାହାରି ବାଣିଜ୍ୟ ବ୍ୟବସାୟ କରୁଥିଲେ। କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟ ମାସ ଭାବେ ଆମ ଧର୍ମରେ ଗ୍ରହଣ କରାଯାଉଥିବାରୁ ଏହି ମାସର ପୂର୍ଣ୍ଣିମା ଦିନ ବାଣିଜ୍ୟ ନିମନ୍ତେ ବୋଇତ ଯାତ୍ରାର ଶୁଭାରମ୍ଭ କରାଯାଉଥିଲା। ସାଧବ ପୁଅ ବ୍ୟବସାୟକୁ ବାହାରିଲା ବେଳେ ସେମାନଙ୍କ ପ୍ରିୟଜନ ତାଙ୍କ ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ କରୁଥିଲେ। ଏହି ସାଧବ ମାନଙ୍କ ଦ୍ଵାରା ଆମ ରାଜ୍ୟର କଳା ସଂସ୍କୃତି ବିଦେଶର ପ୍ରଚାର ପ୍ରସାର ହବା ସହ ଆମ ଦେଶକୁ ସମୃଦ୍ଧ କରିବାରେ ମଧ୍ୟ ବେଶ ସହାୟକ ହୋଇଥିଲା। ଆଜି ଏହି ଗୌରବମୟ ଗାଥାକୁ ସ୍ମରଣ କରି ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି। ଆଜିର ଦିନରେ ଶ୍ରଦ୍ଧାଳୁମାନେ କଦଳୀ ପଟୁଆରେ ଦୀପ,ଧୂପ, ଗୁଆ ଓ ପାନ ରଖି ପୂଜାର୍ଚ୍ଚନା କରିଛନ୍ତି। ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିଲେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେପଟେ ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଙ୍ଘ ପକ୍ଷରୁ ବେଳଭୂମିର ଖୋଲା ମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ବେଶ ମଜା ନେଇଥିଲେ ଉପସ୍ଥିତ ଦର୍ଶକ।

LEAVE A REPLY

Please enter your comment!
Please enter your name here