ବ୍ରହ୍ମପୁରରେ ଟ୍ରାଫିକ୍ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ବ୍ୟବସ୍ଥାରେ ସୁଧାର ଆସିବା ଆଶା।

0
741

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ବ୍ରହ୍ମପୁର ସହରରେ ଟ୍ରାଫିକର ସମସ୍ୟା ଜଟିଳ। ସହରର ଅଣ ଓସାରିଆ ରାସ୍ତା ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ ରାସ୍ତା ଯୋଗୁଁ ଗୁରୁତର ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ହେଉଥିବା ଦେଖିବାକୁ ମିଳେ। ସହରବାସୀ ମଧ୍ୟ ଟ୍ରାଫିକ୍ ନିୟମକୁ ଭଙ୍ଗ କରୁଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ପକ୍ଷରୁ ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଣ୍ଚମ ( ଆଇଟିଏମଏସ ) କାର୍ଯ୍ୟକାରୀ କରିବା ସହ ସହରର ମୁଖ୍ୟଛକରେ ସିସିଟିଭି କ୍ୟାମେରା ଓ ଟ୍ରାଫିକ୍ ଲାଇଟ ଖଞ୍ଜା ଯାଇଛି। ଯାହା ଫଳରେ କିଛିମାତ୍ରାରେ ଟ୍ରାଫିକ୍ ଉଲଘଂନକାରୀ ସଜାଗ ହେଉଥିବା ବେଳେ ସିସିଟିଭି ଯାଞ୍ଚରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ବ୍ରହ୍ମପୁର ପୋଲିସର ଦାୟିତ୍ତ୍ୱ ସହ ଚ୍ୟାଲେଞ୍ଜ ରହିଛି। ଆଉ ଏବେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବ୍ରହ୍ମପୁର ପୋଲିସ ଅଣ୍ଟା ଭିଡିଛି। ଆଉ ଏଥିପାଇଁ ଏବେ ଟ୍ରାଫିକ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣ କରିଛି ବ୍ରହ୍ମପୁର ପୋଲିସ। ପୂର୍ବରୁ ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ଓ ବିଭିନ୍ନ ଛକର ପ୍ରାୟ ୫୮ଜଣ ପୋଲିସ କର୍ମଚାରୀ ନିୟୋଜିତ ହେଉଥିଲେ। ଏହା ସହ ନିଜ ନିଜ ଥାନା ଅଞ୍ଚଳର ହୋମଗାର୍ଡ ଓ ଓଏପିଏଫ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିଲା। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୯୦ରେ ପହଞ୍ଚିଛି। ସ୍ୱତନ୍ତ୍ର ଭାବେ ଟ୍ରାଫିକ୍ ପରିଚାଳନା ନେଇ ତାଲିମ ପାଇଥିବା ୪୦ଜଣ ପୁରୁଷ ମହିଳା କନେଷ୍ଟବଳଙ୍କୁ ବ୍ରହ୍ମପୁର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆଜିଠାରୁ ନିୟୋଜିତ କରାଯାଇଛି। ଟ୍ରାଫିକ୍ ଦାୟିତ୍ତ୍ୱରେ ନିୟୋଜିତ ଥିବା ଏହି କର୍ମଚାରୀମାନେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାରେ ବେଶ ସହାୟକ ହେବେ ଓ ଏଥିପାଇଁ ସହରବାସୀ ସହଯୋଗ କରିବାଲାଗି ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here