ଆଇନଜୀବୀଙ୍କ ଆନ୍ଦୋଳନ ସ୍ଥଗିତ, ସୋମବାରଠୁ କାର୍ଯ୍ୟରେ ଯୋଗଦେବେ

0
624

କଟକ: ସ୍ଥଗିତ ରହିଲା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ହାଇକୋର୍ଟ ବାର ଆସୋସିଏସନରେ ଶୁକ୍ରବାର ସାଧାରଣ ପରିଷଦ ବୈଠକ ବସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୪ ତାରିଖରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି । ଜଜ୍ ପଦବି ପୂରଣ ଏବଂ କଲେଜିୟମ୍ ଦ୍ଵାରା ଜଜ୍ ଚୟନକୁ ବିରୋଧ କରି ହାଇକୋର୍ଟ ବାର୍ ଆସୋସିଏସନ୍ ଗତ ଅକ୍ଟୋବର ୧୪ରୁ ସମସ୍ତ କୋର୍ଟକୁ ବର୍ଜନ କରିଥିଲା। ଏହି ଘଟଣାକୁ ନେଇ ପ୍ରଥମେ ହାଇକୋର୍ଟର ଫୁଲ୍ ବେଞ୍ଚ୍ ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ରାଜ୍ୟର ୬୮ଟି ବାର୍ ସଭାପତି, ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ଚାଲିଥିଲାବେଳେ ସୁପ୍ରିମ୍‌କୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କୁ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦେଇଥିଲେ।ଏଥିସହ ବାର୍ କାଉନସିଲ୍ ଅଫ ଇଣ୍ଡିଆ(ବିସିଆଇ)ର ଅଧ୍ୟକ୍ଷଙ୍କୁ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେଥିପାଇଁ ଅଦାଲତରେ ଉପସ୍ଥିତ ରହି ଆବଶ୍ୟକ ପରାମର୍ଶ ଦେବାକୁ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ବିସିଆଇ ହାଇକୋର୍ଟ ବାର୍ ତୁରନ୍ତ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ଆଦେଶ ହୋଇଥିଲା। ଯଦି ବାର୍ ଆନ୍ଦୋଳନ ପ୍ରତ୍ୟାହାର ନକରେ ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏପରିକି ବାର୍ ଏହି ଆଦେଶ ଉପରେ କ’ଣ ପଦକ୍ଷେପ ଗ୍ରହଣ କରୁଛି ଆସନ୍ତା ୩ତାରିଖ ସୁଦ୍ଧା ଜଣାଇବାକୁ ବିସିଆଇ କହିଥିଲା। ବିସିଆଇଠାରୁ ଚିଠି ପାଇବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ହାଇକୋର୍ଟ ବାର୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ବାର୍ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ବିସିଆଇର ଅନୁରୋଧ, ବରିଷ୍ଠ ଆଇନଜୀବୀଙ୍କ ପରାମର୍ଶ, ଆକ୍ସନ କମିଟି ସଦସ୍ୟଙ୍କ ସହମତି ଏବଂ କେନ୍ଦ୍ର ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମତେ ଏହି ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଉଛି।

LEAVE A REPLY

Please enter your comment!
Please enter your name here