ବିଦ୍ୟାଳୟ ନିକଟରେ ୧୦୦ବର୍ଷ ପୁରୁଣା ବିପଦଶଙ୍କୁଳ କୋଠା, କିଛି ଅଘଟଣ ଆଶଙ୍କାରେ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ଅମଙ୍ଗ ଅବିଭାବକ। ଚିନ୍ତାରେ ଶିକ୍ଷକ ଓ ଶିକ୍ଷୟତ୍ରୀ।

0
698

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ବିଦ୍ୟାଳୟ ନିକଟରେ ରହିଛି ଶହେ ବର୍ଷ ପୁରୁଣା ତଥା ପରିତ୍ୟକ୍ତ କୋଠା। ଘରର ମାଲିକଙ୍କ ଦେଖାଦର୍ଶନ ନାହିଁ। ତେବେ ଗାଁ ମଝିରେ ଥିବା ଏହି କୋଠାଟିର ଅବସ୍ଥା ଏତେ ଦୟନୀୟ ହୋଇପଡିଛି ଯେ କେତେବେଳେ ଏହା ଧ୍ବଂସ ହୋଇ ମାଟିରେ ମିଶିଯିବ କହିବା ମୁସ୍କିଲ। ବିଦ୍ୟାଳୟ ସମ୍ମୁଖରେ ଥିବା ଏହି କୋଠାରେ କେତେବେଳେ କିଛି ଅଘଟଣର ଆଶଙ୍କା କରି ଗ୍ରାମବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ବଡଗୁମୁଳା ଗାଁରେ।
ଗତ ୩ଦିନର ଲଗାଣ ବର୍ଷାରେ କୋଠାର କିଛି ଅଂଶ ଭୁସୁଡିପଡିଛି। ଅବଶିଷ୍ଟ ଅଂଶ ଭଗବାନଙ୍କ ଭରସାରେ ଝୁଲି ରହିଛି। ବର୍ଷା ଯୋଗୁଁ ଦୁଇଦିନ ବିଦ୍ୟାଳୟ ବନ୍ଦ ପରେ ଆଜି ଖୋଲିଛି ସ୍କୁଲ। କିନ୍ତୁ କୋଠାର ଅବସ୍ଥାକୁ ଦେଖି ଆଜି ଅବିଭାବକ ମନେ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ଅମଙ୍ଗ ହୋଇଛନ୍ତି। ବିଦ୍ୟାଳୟ ସମ୍ମୁଖରେ ଥିବା ଏହି କୋଠାକୁ ଭାଙ୍ଗି ସମତଳ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓ ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଦାବି କରାଯାଇଛି। ତଥାପି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିଛି ଅଘଟଣ ଘଟିଲେ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟ ସମ୍ମୁଖରେ ଥିବା ଏହି କୋଠାର ଅବସ୍ଥାକୁ ନେଇ ଖୋଦ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଚିନ୍ତାରେ। ନିକଟରେ ପିଲାଙ୍କ ପରୀକ୍ଷା ଥିବା ବେଳେ ଅଭିଭାବକଙ୍କ ଏଭଳି ନିଷ୍ପତ୍ତି ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ବିପଦଶଙ୍କୁଳ କୋଠା ସମ୍ପର୍କରେ ଗ୍ରାମବାସୀଙ୍କ ସମେତ ଖୋଦ ପ୍ରଧାନଶିକ୍ଷୟତ୍ରୀ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଖୁବଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ସମୟ ଥାଉ ଥାଉ ଯଦି କିଛି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଯାଏ, ତେବେ ଯେକୌଣସି ମୁହୂର୍ତ୍ତରେ କିଛିବି ଅଘଟଣର ଯଥେଷ୍ଟ ସମ୍ଭାବନା ରହିଛି।….

LEAVE A REPLY

Please enter your comment!
Please enter your name here