ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଗିରଫ

0
697

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ପୁଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି। ଶନିବାର ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ଦେଇଥିବା ସୂଚନା ଅନୁଯାୟୀ ପୁଲିସ ତାଙ୍କୁ ଗିରଫ କରିଛି । ରୂପେଶଙ୍କୁ ଗୁରୁବାର ଠାରୁ ଅଟକ ରଖି ଧର୍ମଶାଳା ପୁଲିସ ପଚରାଉଚୁରା କରୁଥିଲା। ସ୍ମିତାରାଣୀଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚହଳ ପକାଇଦେଇଛି। ଏହି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶାସକ ବିଜେଡିକୁ ଘେରିଛନ୍ତି । କଂଗ୍ରେସ ଏହି ଘଟଣାରେ ବିଜେଡିର ନେତା ସମ୍ପୃକ୍ତି ଥିବା ଅଭିଯୋଗ କରି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି । ସେହିପରି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାରେ ବିଜେଡିର ସମ୍ପର୍କ ରହିଛି ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସର ପ୍ରତିନିଧି ଦଳ ହରିଦାସପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାରକୁ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଥିଲେ।
ଅକ୍ଟୋବର ୧୫ ତାରିଖ ଦିନ ସ୍ମିତାରାଣୀ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତରେ ପହଞ୍ଚିଥିଲେ। ସେଠାରେ ସରପଞ୍ଚଙ୍କ ସ୍ଵାମୀ କିଛି ଲୋକଙ୍କ ସହ ଭତ୍ତା ବଣ୍ଟନ କରୁଥିଲେ। ଭତ୍ତା ବଣ୍ଟନ ଶେଷ ହେବା ପରେ ସ୍ମିତାରାଣୀ ଖାଇବା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ୍ ଯାଇଥିଲେ। ଫେରିବା ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ସେଠାରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରେ ସରପଞ୍ଚଙ୍କ ସ୍ଵାମୀ ପରିବାର ଲୋକଙ୍କୁ ଫୋନ କରି ଡାକି ତାଙ୍କୁ ଧର୍ମଶାଳା ଡାକ୍ତରଖାନା ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରୀଣୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ ଏକ ମାମଲ ରୁଜୁ କରି ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୫ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here