ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ଶେଷ;ଆଜି ସରିଲା ପ୍ରଚାର

0
836

ବରଗଡ଼ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ବରଗଡ଼ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ,ଶାନ୍ତିଶୃଙ୍ଖଳାରେ କିପରି ଭୋଟଗ୍ରହଣ ହେବ ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗ୍ରହଣ ଲାଗି ବିଜେପୁରରେ ମୋଟ ୨୮୫ଟି ବୁଥ୍ କରାଯାଇଛି। ଏଥି ମଧ୍ୟରୁ ୧୩୫ଟି ସମ୍ବେଦନଶୀଳ ବୁଥ ହୋଇଥିବାରୁ,ଏଠାରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଭୋଟରମାନେ ୧୧ ପ୍ରକାର ପରିଚୟପତ୍ର ଦେଇ ମତଦାନ କରିପାରିବେ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଶନିବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରସୋର କରିଥିବା ଦେଖିବାକୁ ମିଳିଥିଲା। ତିନି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରଚାରରେ ଲାଗିପଡ଼ିଛନ୍ତି। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ଏବଂ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ଡେରା ପକାଇ ପ୍ରଚାର କରିବା ସହିତ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଥିଲେ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଥିଲେ। କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ପାଇଁ ପ୍ରଚାର କରିଥିଲେ।

LEAVE A REPLY

Please enter your comment!
Please enter your name here