ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ

0
972

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଛତିଶଗଡ଼ ରାୟପୁର ସାରନା ସ୍ଥିତ କୃଷ୍ନା ପବ୍ଲିକ ସ୍କୁଲ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ରୋଲର ସ୍କେଟିଂ ସିବିଏସଇର ଫାର ଇଷ୍ଟ ଜୋନ ପ୍ରତିଯୋଗୀତାରେ ଆଜି ମଧ୍ୟ ବ୍ରହ୍ମପୁରର ସ୍କେଟର ସଫଳତା ହାସଲ କରିଛନ୍ତି । ଗତକାଲି ୩୦୦ମିଟର ଟାଇମ ଟ୍ରାଏଲର ସହ ଆଜି ୧୦୦୦ ମିଟର ରେସରେ ବାଳିକା ବିଭାଗର ୧୦ବର୍ଷ ବର୍ଗରେ ବ୍ରହ୍ମପୁର ଆଟୋମିକ ଏନରଜି ସେଣ୍ଟ୍ରାଲ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ଆଦ୍ୟେଶା ଆଦ୍ୟସ୍ମିତା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ମିଟର ଓ୧୦୦୦ ମିଟର ରେସରେ ୧୨ ବର୍ଷ ବର୍ଗରେ କେ.ସି ପବ୍ଲିକ୍ ସ୍କୁଲର ଛାତ୍ରୀ ସ୍ୱସ୍ତିକା ପଣ୍ଡା ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମପୁରର ଏହି ସ୍କେଟରମାନେ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ ,ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ଵିଷାଖପଟନମ ସ୍କେଟିଂ ଏକାଡେମୀର କୋଚ୍ ସି.ଏଚ. ସଞ୍ଜୟ କୁମାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଯୋରଦାର ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ଦୁହେଁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିଯୋଗୀତାର ସଫଳତା ହାସଲ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଯେ,ସେ ଦୁହେଁ ଆଗାମୀ ଦିନରେ କର୍ଣାଟକ ବେଲଗାଁରେ ହେବାକୁ ଥିବା ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ଏବଂ ଗତ ବର୍ଷ ମଧ୍ୟ ସେମାନେ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକର ଅଧିକାରିଣୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here