ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ ଓ ଅଖାଦ୍ୟ ଖୁଆଇବା ଘଟଣାରେ ୨୯ଜଣ ଗିରଫ, ଗିରଫ ଭୟରେ ଗ୍ରାମ ପୁରୁଷ ଶୁନ୍ୟ, ଗାଁରେ ପୋଲିସ ମୁତୟନ।

0
766

ଗଞ୍ଜାମ((ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ଗଞ୍ଜାମ ଜିଲ୍ଲାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ଜନିତ ଘଟଣା ଦିନକୁ ଦିନ ହ୍ରାସ ପାଇବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଯାହା ପୋଲିସ ଓ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଂଚାୟତର ଗୋପପୁର ଗାଁରେ ଗତ ସୋମବାର ରାତିରେ ଗୁଣିଗାରେଡି ସନ୍ଦେହରେ ୬ଜଣ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ଗ୍ରାମର କୋଠ ଘରେ ବାନ୍ଧି ମାଡ କରିବା ସହ ଦାନ୍ତ ଭାଙ୍ଗି ଅଖାଦ୍ୟ ଖୁଆଇ ଦିଆଯାଇଥିଲା। ଗୋପପୁର ହରିଜନ ସାହିରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାରେ ପୋଲିସ ୬ଜଣ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ମୋଟ ୨୯ଜଣଙ୍କୁ ଗିରଫ କରିଛି। ଗ୍ରାମରେ ବ୍ୟାପିଥିବା ଅଜଣା ରୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ରହ୍ମପୁରରୁ ଯାଇଥିବା ଏକ ଡାକ୍ତରୀଦଳ ଏହା ରକ୍ତହୀନତା ବୋଲି ଦର୍ଶାଇଥିଲେ ହେଁ ଏହାକୁ ନମାନି ଗୁଣିଆ ସନ୍ଦେହ ପରିସରକୁ ଆସିଥିବା ଲୋକଙ୍କୁ ଆକ୍ରମଣ ହୋଇଥିଲା। ଘଟଣାରେ ସଂପୃକ୍ତ ଅନ୍ୟ ଲୋକଙ୍କୁ ଗିରଫ ପାଇଁ ପୋଲିସ ତନାଘନା ଜାରି ରଖିଥିବା ବେଳେ ଗିରଫଦାରୀକୁ ଏଡାଇବାକୁ ଯାଇ ଗ୍ରାମ ପୁରୁଷ ଶୁନ୍ୟ ହୋଇଯାଇଛି। ତେବେ ଗ୍ରାମରେ ପରିସ୍ଥିତି ଯଦିଓ ନିୟନ୍ତ୍ରଣାଧୀନ ରହିଛି ତଥାପି ଗାଁରେ ପୋଲିସ ମୁତୟନ କରାଯାଇ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

LEAVE A REPLY

Please enter your comment!
Please enter your name here