ପ୍ରେମ….. (ଏକ)
ପ୍ରେମ…!!!
ସ୍ରଷ୍ଟାଙ୍କର ସୁନ୍ଦରତମ ଉପହାର…ସୃଷ୍ଟିକୁ
ବିନା ପ୍ରେମେ ସୃଷ୍ଟି ଅସମ୍ଭବ
ବିନା ପ୍ରେମେ ଜୀବନ ଦୁର୍ବିସହ
ପ୍ରେମ…!!!
ଜନ୍ମ ଓ ମୃତ୍ୟୁର ବ୍ୟବଧାନ(ଜୀବନ)କୁ
ଅତିକ୍ରମ କରିବାର ନୌକା,
ଜୀବନ ମରୁଭୂମିର ଏକ ସବୁଜ ମରୁଦ୍ୟାନ,
ଫୁଲଠାରୁ ବି କୋମଳ
ବଜ୍ରଠାରୁ ଆହୁରି ସେ ଶକ୍ତ।
ପ୍ରେମ…!!
ସ୍ବର୍ଗୀୟ…ଅମର…ଅମୂଲ୍ୟ
ଗଙ୍ଗାଜଳ ପରି ସ୍ୱଚ୍ଛ ଓ ପବିତ୍ର
ମୃତ୍ୟୁ ପରି ଚିରନ୍ତନ ସତ୍ୟ
କୃଷ୍ଣନାମ ପରି ଚିର ଶାଶ୍ୱତ
ପୂଜାରିଣୀର ପୂଜା ପରି ଅନାବିଳ।
ପ୍ରେମ…(ଦୁଇ )
ନୁହେଁ କୈଶୋରର ସ୍ପର୍ଶଆତୁରତା
ନୁହେଁ ଯୌବନର କ୍ଷଣିକ ଉତ୍ତେଜନା,
ନୁହେଁ ପ୍ରଲୋଭନ
ଚିର ଇପ୍ସିତ ନିଷିଦ୍ଧ ଫଳର,
ନୁହେଁ ଅମାବାସ୍ୟାର ଗଭୀର ଅନ୍ଧକାର,
‘ସେ’…
ମିଳନ ଦୁଇଟି ମନର,
ମିଳନ ଦୁଇଟି ହୃଦୟର,
ଦୁଇଯୋଡ଼ା ନିରୀହ ଆଖିର।
ପ୍ରେମ ବିନା ପୁରୁଷ ଅସମ୍ପୁର୍ଣ
ପ୍ରେମ ବିନା ନାରୀ ଅପୂର୍ଣା।
ପ୍ରେମ…
ଶକ୍ତିର ଉତ୍ସ
ମନୁଷ୍ୟର ଆଶାବାଡ଼ି।
ପ୍ରେମ….. (ତିନି)
ଚଳିତ ଶତାବ୍ଦୀର ଜଘନ୍ୟ ଅପରାଧ,
ପ୍ରେମିକ ଓ ପ୍ରେମିକା ସର୍ବଶ୍ରେଷ୍ଠ ଅପରାଧୀ,
ଆତ୍ମହତ୍ୟା..
ସମାଜ ରୂପକ ବିଚାରକଙ୍କ ଦଣ୍ଡାଦେଶ।
ଶେଷରେ,
ପ୍ରେମ…
ଦୁଇଟି ଅକ୍ଷରର ସମିଶ୍ରଣ
କେବଳ ଗୋଟିଏ
‘ଶବ୍ଦ’ ମାତ୍ର…..
*********
କାର୍ତ୍ତିକ ପାଣିଗ୍ରାହି
ବ୍ରହ୍ମପୁର