ଘୋଡାହାଡ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

0
122

ଦିଗପହଣ୍ଡି : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ରବିବାର ଦିନ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ସ୍ଥିତ ଘୋଡାହାଡ ଜଳଭଣ୍ଡାର ତଟରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ପ୍ଳାଷ୍ଟିକ ମୁକ୍ତ କରିବା ନେଇ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ବନବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିପାରିଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲା ଇକୋ କ୍ଳବ୍ ସଂଯୋଜକ ଶଙ୍କର ନାରାୟଣ ବେଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ସମେତ ବ୍ରହ୍ମପୁର ସବୁଜ ବାହିନୀ ସଦସ୍ୟ , ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ୱାର୍ଡ ସଦସ୍ୟ/ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବର୍ତ୍ତମାନ ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ ବଣଭୋଜି ନିମନ୍ତେ ଆସୁଥିବା ପର୍ଯ୍ୟଟକ ମାନେ ବହୁଳ ମାତ୍ରାରେ ପଲିଥିନ ଏବଂ ପରିବେଶକୁ ଦୂଷିତ କରୁଥିବା ଜିନିଷ ବ୍ୟବହାର ପରେ ଏଣେତେଣେ ଫୋପାଡ଼ି ଦେଇଥାନ୍ତି । ଯାହାଫଳରେ ପ୍ରାକୃତିକ ପରିବେଶ ଦୂଷିତ ହେବାର ସହ ଗୃହପାଳିତ ପଶୁମାନେ ଏହାକୁ ଖାଇ ମୃତ୍ୟୁ ମୁଖରେ ପଡିଥାନ୍ତି । ଯାହାକୁ ନେଇ ଏହି ପ୍ଳାଷ୍ଟିକ ଜିନିଷ ଠାରୁ ଦୂରେଇବା , ପ୍ଳାଷ୍ଟିକ ମୁକ୍ତ କରାଯିବା ପାଇଁ ଘୋଡାହାଡ ଜଳଭଣ୍ଡାର ଏବଂ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ବନ କର୍ମଚାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ମାନେ ବୁଲି ପର୍ଯ୍ୟଟକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ସମେତ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here