ଦିଗପହଣ୍ଡି ଅଞ୍ଚଳରେ ବଜ୍ରପାତ ; ୧ ମୃତ , ୪ ମହିଳା ଗୁରୁତର

0
155

ଦିଗପହଣ୍ଡି – ମଙ୍ଗଳବାର ଅପରାହ୍ନରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଏବଂ ଗଡଗୋବିନ୍ଦପୁର ପଞ୍ଚାୟତରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଖବରନୁଯାୟୀ , ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଭାଲୁ ମହାଙ୍କୁଡ (୫୧) ବି . ତୁରୁବୁଡି ପଞ୍ଚାୟତ ଗାଇ ଗୁହାଳ ଛକ ଏରା ବନ୍ଧ ନିକଟକୁ ନିଜ ଛେଳି ଚରାଇବାକୁ ଯାଇଥିବା ବେଳେ ସାଢେ ୨ ଘଣ୍ଟା ସମୟରେ ଆକାଶରେ ଘଡଘଡି ସହ ବର୍ଷା ହୋଇଥିଲା । ତେବେ ସେହି ସମୟରେ ଏକ ଆକସ୍ମିକ ବଜ୍ରପାତ ମାଡ଼ରେ ଛେଳି ଚରାଳି ଜଣକ ସେଠାରେ ଟଳି ପଡ଼ିଥିଲେ । ଖବରପାଇ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଘଟଣାପରେ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବ ଗୃହକୁ ପଠାଇଥିବା ଜଣାପଡିଛି । ସେହିପରି ଗଡଗୋବିନ୍ଦପୁର ଗ୍ରାମରେ କିଛି ମହିଳା ବିଲରେ ଧାନ ତଳି ରୁଆ କରୁଥିବା ସମୟରେ ଅପରାହ୍ନ ୩ . ୪୦ ମିନିଟ ସମୟରେ ବଜ୍ରପାତ ମାଡ଼ରେ ସେଠାରେ ଅଚେତ ଅବସ୍ଥାରେ ପଡି ଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ନିଜ କାରରେ ଗୁରୁତର ମହିଳାଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ସଞ୍ଜୁ ସାହୁ ଓ ଉଷା ସାହୁ ନାମ୍ନୀ ଦୁଇ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜୟନ୍ତୀ ସାହୁ ଏବଂ ବର୍ଷା କୁମାରୀ ସାହୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।
ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here