ରୂପାୟନ ନିମନ୍ତେ ଅଧିକ ସାଂସ୍କୃତିକ ଦଳ ଆବଶ୍ୟକତା ରହିଛି

0
173

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ଜିଲ୍ଲାର ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପସଭାପତି ଏବଂ ପାରମ୍ପରିକ ଲୋକ କଳାର ଗୁରୁ ମାନଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଛି । ପାରମ୍ପରିକ ଲୋକକଳା ମାଧ୍ୟମରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କିଭଳି ଜନସାଧାରଣ ମାନଙ୍କ ନିକଟରେ ପ୍ରଚାର ପ୍ରସାର କରିବେ । କେଉଁଭଳି ଭାବରେ ବିଷୟବସ୍ତୁ ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରି ଲୋକ କଳାର ମୌଳିକତାକୁ ବଞ୍ଚାଇ ରଖି କାର୍ଯ୍ୟକ୍ରମ ପରିବେଷଣ କରିବେ ସେଥି ସକାଶେ ପ୍ରଶିକ୍ଷଣ ଦିଆଯାଇଛି । ପାରମ୍ପରକ ଲୋକକଳା ପରିବେଷଣ ବେଳେ କେଉଁ ସବୁ ବୈଷୟିକ ଜ୍ଞାନ ରଖି କଳାକାରଗଣ ପ୍ରସ୍ତୁତ ହେବେ ସେ ଦିଗରେ ମଧ୍ଯ କଳାକାରଙ୍କୁ ଅବଗତ କରାଯାଇଛି । ଏଠାରେ ପ୍ରକାଶ ଥାଉକି, ବର୍ତ୍ତମାନ ଜିଲ୍ଲାରେ ରହିଥିବା ସାଂସ୍କୃତିକ ଦଳଙ୍କ ସଂଖ୍ଯା କମ୍ ରହିଛି । ଏଣୁ ଅଧିକ କଳାକାର ଦଳର ଆବଶ୍ୟକତା ରହିଛି । ଏଥି ସକାଶେ ଜିଲ୍ଲାରେ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଇଛୁକ ଥିବା ଦଳ ଗୁଡିକ ନିଜନିଜ ବ୍ଲକ୍ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ନିମନ୍ତେ ଅନୁରୋଧ କରାଯାଉଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ କର୍ମଶାଳାଟି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଜନହିତକର ଯୋଜନାର ପ୍ରଚାର ପ୍ରସାର କିଭଳି ବ୍ୟାପକ କରିବେ ଏବଂ ସଠିକ ଭାବରେ ସମସ୍ତ ତଥ୍ୟ କଳାର ମୌଳିକତାକୁ ନଷ୍ଟ ନକରି ପରିବେଷଣ କରିବେ ତାହା କର୍ମଶାଳାଟିରେ ଅବଗତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ରାଧା କୃଷ୍ଣ ରାମ ବ୍ଲକ୍ ସ୍ତରୀୟ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା କଳା ସାଂସ୍କୃତିକ ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢୀ ଲୋକ କଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ କଳାକାର ଜଗଦୀଶ ପାଣିଗ୍ରାହୀ, ଆଲୋକ ବିଷୋୟୀ ଦ୍ବୟ ଲୋକକଳା ପରିବେଷଣର ବୈଷୟିକ ଜ୍ଞାନ, କାର୍ଯ୍ୟକ୍ରମ ପରିବେଷଣ ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ କଳାକାର ନାରାୟଣ ମହାରଣା ପଶୁନୃତ୍ୟ ମାଧ୍ୟମରେ କିଭଳି ସରକାରଙ୍କ ଯୋଜନା ପ୍ରଚାରିତ ହୋଇପାରିବ ତାହା ଅବଗତ କରାଇଥିଲେ । ରାଜେନ୍ଦ୍ର ମହାପାତ୍ର ଯୋଡି ଶଂଖ, ବଳରାମ ଗୌଡ ସଖୀନାଟ, ଆନନ୍ଦ ବାଡତ୍ଯା ଭାରତଲୀଳା, ବଳରାମ ପଣ୍ଡା ପାଲା, ରଙ୍କନିଧି ବେହେରା ଭାରତଲୀଳା ପ୍ରଭୃତି କଳା ମାଧ୍ୟମରେ କିଭଳି ସରକାରଙ୍କ ଯୋଜନା ପ୍ରସାର ହୋଇପାରିବ ସେ ସମ୍ପର୍କରେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here