ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ଫଳାଫଳ ; ୪୭୫ ଭୋଟରେ ବାଜି ମାରିଲେ କୃଷ୍ଣଚନ୍ଦ୍ର

0
510

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନରେ ପଦବୀ ହାସଲ ନେଇ ଦୀର୍ଘ ଦିନ ଧରି ଅଞ୍ଚଳରେ ବିପିନ ସମର୍ଥକ ଓ ବିପ୍ଳବ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ଶୁକ୍ରବାର ଦିନ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ବିପ୍ଳବ ସମର୍ଥିତ ପ୍ରାର୍ଥୀ ତଥା ସ୍ବର୍ଗତ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିପିନ ସମର୍ଥିତ ପ୍ରାର୍ଥୀ ଅସିତ କୁମାର ସାହୁଙ୍କ ଠାରୁ ୪୭୫ ଭୋଟରେ ବାଜି ମାରି ବିଜୟୀ ହୋଇଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ଅକାଳ ବିୟୋଗ ସମଗ୍ର ଦିଗପହଣ୍ଡି ବ୍ଳକ ବାସୀଙ୍କୁ ମର୍ମାହତ କରିଥିବା ବେଳେ ଦୀର୍ଘ ମାସ ଧରି ଉକ୍ତ ପଦବୀ ଖାଲି ପଡିଥିଲେ ମଧ୍ୟ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ଏହି ଦାୟିତ୍ବ ତୁଲାଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଜୁଲାଇ ୧୭ ତାରିଖରେ ୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ । ଯାହାକୁ ନେଇ ଅଗଷ୍ଟ ୯ ରେ ଗୋକର୍ଣ୍ଣପୁର ପଞ୍ଚାୟତର ୨୦ ଗୋଟି ଭୋଟଦାନ କେନ୍ଦ୍ରରେ ୪୪୦୯ ଭୋଟର ନିଜର ମତଦାନ କରିଥିଲେ । ତେବେ ଶୁକ୍ରବାର ସକାଳୁ ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ଫାଟକରେ ଭିଡ଼ ଦେଖିବାକୁ ମିଳିଥିଲା । ଏପଟେ ଭିଡ଼ ନିୟନ୍ତ୍ରଣ ଓ ଗଣ୍ଡଗୋଳକୁ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଶେଷରେ ସମସ୍ତ ଭୋଟବାକ୍ସ ଗଣତି ପରେ ବିପ୍ଳବ ସମର୍ଥିତ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସର୍ବାଧିକ ୨୩୦୦ ଭୋଟ ପାଇଥିବା ବେଳେ ବିପିନ ସମର୍ଥିତ ପ୍ରାର୍ଥୀ ଅସିତ ୧୮୨୫ ଭୋଟ ପାଇଥିଲେ । ସେହିପରି ତୃତୀୟ ସ୍ଥାନରେ ବିଜେପି ସମର୍ଥିତ ପ୍ରାର୍ଥୀ ବି . ରାମହରି ଦୋରା ୧୪୬ ଭୋଟ ପାଇଥିବା ବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବାଇନାଥ ଦୋରା ମାତ୍ର ୪୬ ଟି ଭୋଟ ପାଇଥିଲେ । ଏପରିକି ୯୨ ଟି ଭୋଟ ରିଜେକ୍ଟ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ଠାରୁ ସୂଚନା ଦିଆଯାଇଥିଲା । ଏହାପରେ ବିଜୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ରଙ୍କୁ ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇବା ସହ ଜୟ ନବୀନ , ଜୟ ସୂର୍ଯ୍ୟ ପାତ୍ର ଓ ଜୟ ବିପ୍ଳବ ପାତ୍ର ଧ୍ବନିରେ ପାଛୋଟି ନେବା ସହ ଅପରାହ୍ନରେ ବିଜୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ତେବେ ଏହି ବିଜୟ ବିପ୍ଳବଙ୍କ ବିଜୟ ବୋଲି ଦଳୀୟ କର୍ମୀମାନେ ପ୍ରତିକ୍ରିୟାରେ କହିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବରେ ବିପ୍ଳବ ଟିକଟ ପାଇବା ପାଇଁ ଦୃଢ ଦାବିଦାର ବୋଲି ବିପକ୍ଷ ଦଳକୁ ଚେତାଇ ଦେଇଛନ୍ତି । ଏହି ଗଣତି ସମୟରେ ତହସିଲଦାର ସିପକ କୁମାର ପାତ୍ର , ଅତିରିକ୍ତ ତହସିଲଦାର ସନାତନ ମହାଳିକ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ଜିପିଓ ଉମେଶ ସେଠୀ , କାର୍ଯ୍ୟରତ ପିଇଓ ଓ ଗ୍ରାମ ରୋଜଗାର ସେବକମାନେ ନିୟୋଜିତ ରହି ସହଯୋଗ କରିଥିଲେ । ଅପରପକ୍ଷରେ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ତେବେ ଆଗାମୀ ଦିନରେ ବ୍ଳକ ଅଧ୍ୟକ୍ଷା ପଦବୀ ପାଇଁ ସମସ୍ତଙ୍କ ନଜର ରହିଥିବା ବେଳେ ବର୍ତ୍ତମାନ କେଉଁ ଦଳ ଏହି ପଦବୀ ହାତେଇବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଚର୍ଚ୍ଚା । ତେବେ କାହାର ପଲା ଭାରି ରହିବ ଦେଖିବାକୁ ବାକି ରହିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here