ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ୪୮ ଘଣ୍ଟା ମାଗଣା ଚିକିତ୍ସା

0
669

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏଣିକି ଦୁର୍ଘଟଣାର ଶିକାର ବ୍ୟକ୍ତିକୁ ୪୮ ଘଣ୍ଟା ପାଇଁ ମିଳିବ ତତ୍କାଳ ମାଗଣା ଚିକିତ୍ସା ସୁବିଧା। ଏକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ମାଗଣା ଚିକିତ୍ସା ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ କରି ପରିବହନ ବିଭାଗ ସାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ପାଇଁ ଏହି ଯୋଜନା ଲାଗୁ ହେବ। ପରେ ବ୍ରହ୍ମପୁର, ରାଉଲକେଲା ଓ ସମ୍ବଲପୁର ଆଦି ବଡ଼ ସହରରେ ଏହି ସୁବିଧା ଉପଲବ୍ଧ କରାଯିବ। ଟ୍ରମା କେୟାର ସେଣ୍ଟର ଥିବା ସବୁ ସରକାରୀ ଡାକ୍ତରଖାନା ଓ ନିର୍ଦ୍ଦିଷ୍ଟ କିଛି ଘରୋଇ ହସ୍ପିଟାଲ୍ରେ ରୋଗୀଙ୍କୁ ଏହି ଚିକିତ୍ସା ଯୋଗାଇଦେବାକୁ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ୧୩ ସୂତ୍ରୀ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସେଜିୟର(ଏସ୍ଓପି) ଅନୁଯାୟୀ ଚିକିତ୍ସା କରାଯିବ।
ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ ଓ ସ୍ବାସ୍ଥ୍ୟ ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ମାଗଣା ଚିକିତ୍ସା ନେଇ ସ୍ବାସ୍ଥ୍ୟ ସଚିବ କହିଥିଲେ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରଥମ ୪୮ ଘଣ୍ଟା ହେଉଛି ଗୁରୁତ୍ବପୂର୍ଣ୍ଣ। ଏହି ସମୟ ଭିତରେ ତତ୍କାଳ ଚିକିତ୍ସା ନ ମିଳିଲେ ଆହତ ବ୍ୟକ୍ତିର ମୃତ୍ୟୁ ଆଶଙ୍କା ଅଧିକ ଥିବାରୁ ରାଜ୍ୟ ସରକାର ମାଗଣା ଚିକିତ୍ସା ଯୋଗାଇଦେବାକୁ ନୂଆ କରି ଯୋଜନା ପ୍ରଣୟନ କରିଛନ୍ତି। ଏହି ଚିକିତ୍ସା ଖର୍ଚ୍ଚ ସରକାର ଓଡ଼ିଶା ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବେ। ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ମିଳିବା ସହ ଭୁବନେଶ୍ବର ଆମ୍ରି, ଆପୋଲ ଓ କଟକର ଅଶ୍ବିନୀ ହସ୍ପିଟାଲରେ ମାଗାଣା ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆବଶ୍ୟକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି।ଦୁର୍ଘଟଣା ଘଟିବା ପରେ ଆହତ ବ୍ୟକ୍ତିକୁ ପ୍ରଥମେ ଘରୋଇ କିମ୍ବା ସରକାରୀ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଟ୍ରମା କେୟାର ସେଣ୍ଟରକୁ ନିଆଯିବ। ଟ୍ରମା କେୟାର ସେଣ୍ଟରଟି ଘରୋଇ ହସ୍ପିଟାଲର ହୋଇଥିଲେ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଡିଏମଇଟିଙ୍କୁ ଇ-ମେଲ କରି ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ଜଣାଇବେ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ରfttfdmet@gmail.com ଉପଲବ୍ଧ କରାଇଛନ୍ତି। ଚିକିତ୍ସା ପାଇଁ ଡିଏମଇଟିଙ୍କଠାରୁ ଇ-ମେଲ କିମ୍ବା ହ୍ବାଟ୍ସ ଆପ ଯୋଗେ ଅନୁମୋଦନ ମିଳିବା ପରେ ଆହତ ବ୍ୟକ୍ତିକୁ ଚିକିତ୍ସା ସୁବିଧା ଯୋଗାଇଦିଆଯିବ। ମେଡିକାଲରେ ଭର୍ତ୍ତି ହେବା ପର ଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବ। ରୋଗୀର ବଡ଼ ଧରଣର ଅସ୍ତ୍ରୋପଚାର କରିବା ଆବଶ୍ୟକ ଥିଲେ ବି ବିଳମ୍ବ ନ କରି ଏହି ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୪୮ ଘଣ୍ଟା ପରେ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ପ୍ରମାଣ ସହ ଚିକିତ୍ସା ଖର୍ଚ୍ଚ ଡିଏମ୍ଇଟିଙ୍କୁ ପ୍ରଦାନ କରିବେ। ଡିଏମ୍ଇଟିଙ୍କ ଯାଞ୍ଚ ପରେ ଏକ ସପ୍ତାହ ମଧ୍ୟରେ ସେହି ଅର୍ଥ ସମ୍ପୃକ୍ତ ଡାକ୍ତରଖାନାକୁ ପ୍ରଦାନ କରିବେ। ଏହି ଯୋଜନାର ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ପ୍ରୋଗ୍ରାମ ସହାୟକ ନିୟୋଜିତ ହୋଇଛନ୍ତି। ନୋଡାଲ ଓ ପ୍ରୋଗ୍ରାମ ଅଫିସରଙ୍କୁ ଯଥାକ୍ରମେ ୯୪୩୯୯୯୧୧୭୦ ଓ ୯୪୩୭୨୩୨୯୮୭ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇପାରିବ।୪୮ ଘଣ୍ଟା ପରେ ରୋଗୀର ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଲେ ରୋଗୀର ସମ୍ପର୍କୀୟ ଚିକିତ୍ସା ଖର୍ଚ୍ଚ ବହନ କରିବେ। କିନ୍ତୁ ଗରିବ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ସରକାରଙ୍କ ଦ୍ବାରା ପ୍ରଚଳନ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଆବଶ୍ୟକ ଚିକିତ୍ସା ଖର୍ଚ୍ଚ ଯୋଗାଇଦିଆଯିବ। ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଥିଲେ, ଏହି ଯୋଜନାକୁ ପ୍ରଚଳନ କରିବାକୁ ରାଜ୍ୟ ସରକାର ଦୀର୍ଘ ଦିନରୁ ଯୋଜନା କରିଥିଲେ। ଏଥିପାଇଁ ଆବଶ୍ୟକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବା ପରେ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here