ଅନ ଲାଇନ କ୍ରିକେଟ ବେଟିଂ ଆଡ୍ଡାର ପର୍ଦାଫାଶ କରିଲା ରାୟଗଡା ପୋଲିସ

0
662

ରାୟଗଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାୟଗଡା ଟାଉନ ଥାନା ପୋଲିସ ସହରର ରାଣୀଗୁଡା ଫାର୍ମ ଲକ୍ଷ୍ମୀ ନାରାୟଣ ସାହିରେ ଚାଲିଥିବା ଅନ ଲାଇନ କ୍ରିକେଟ ଆଡ୍ଡାରେ ଚଢ଼ାଉ କରିଛି। ଏଥିରେ ପୋଲିସ କିଙ୍ଗପିନ ଓ ୫ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ ଲକ୍ଷ ୮୭ ହଜାର ଟଙ୍କା,୩ଟି ବାଇକ,୫ଟି ମୋବାଇଲ ଜବତ କରିଛି। ପୋଲିସ ତଦନ୍ତରୁ ଜଣା ପଡ଼ିଛି ଯେ, କ୍ରିକେଟ ବେଟିଂରେ କଲେଜ ଛାତ୍ରଙ୍କ ସମେତ ବହୁ ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି ।
ଦୀର୍ଘ ଦିନ ହେଲା ସହରର ବିଭିନ୍ନ ସ୍ଥାନରେ ଅତି ସତର୍କତାର ସହ ଅନ ଲାଇନ ବେଟିଂ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା । ଗତ ରାତିରେ ପୋଲିସ କେ. ସୂର୍ଯ୍ୟ ରାଓଙ୍କ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ପୁଲିସ କ୍ରିକେଟ ବେଟିଂ ପ୍ରମାଣ ପାଇବା ପରେ କିଙ୍ଗପିନ ଗୁଣପୁର ଥାନା ସୁଭଦ୍ରାପୁରର ପି. ଈଶ୍ୱର ରାଓ, ରାୟଗଡାର ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ, ସତ୍ୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା। କିଙ୍ଗପିନ ପି. ଈଶ୍ୱର ରାଓଙ୍କ ନିକଟରୁ ୨ ଲକ୍ଷ ୫୦ ହଜାର ଏବଂ ଅନ୍ୟ ୪ ଜଣଙ୍କ ନିକଟରୁ ୧ ଲକ୍ଷ ୩୭ ହଜାର ଟଙ୍କା ଜବତ କରିଥିଲା। ଘଟଣାର ତଦନ୍ତ ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣ ବିବେକ ଏମ.ଙ୍କ ନିର୍ଦେଶ କ୍ରମେ ପୋଲିସ ଏକ ଟିମ ଗଠନ କରି ଏହି ଆଡ୍ଡା ଉପରେ ନଜର ରଖିଥିଲା । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here