ଦୁର୍ଗାପ୍ରସାଦ ରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍; ୬ମୃତ ଓ ୪୨ଆହତ ,ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

0
410

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟି ତଳେ ମଙ୍ଗଳବାର ମଧ୍ୟରାତିରେ ଦୁର୍ଗାପ୍ରସାଦ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲା ଉଦୟ ନାରାୟଣ ପୁର ଥାନା ସୁଲତାନ ପୁର ଗ୍ରାମର ପର୍ଯ୍ୟଟକ ମାନଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଓଲଟି ପଡିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୨ଜଣ ଆହତ ହୋଇଛନ୍ତି।ବସଟି ବ୍ରେକ ଫେଲ ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।ବସ ତଳେ ଅନେକ ଲୋକ ଚାପି ହୋଇଥିବା ରହିବା କାରଣରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା।କ୍ରେନ ଯୋଗେ ବସ ଟିକୁ ଉଠାଇବା ପରେ ସମସ୍ତଙ୍କୁ ବାହାରକୁ ବାହାର କରାଯାଇଥିଲା। ଏଥିରେ ଡ୍ରାଇଭର ସମେତ ୬୦ଜଣ ପୁରୁଷ ଓ ମହିଳା ଏବଂ ଛୋଟପିଲା ମିଶି ମୋଟ ୭୭ଜଣ ଯାତ୍ରୀ ଥିଲେ lମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ପୁରୁଷ ଅଛନ୍ତି।ସେମାନେ ହେଲେ ସୁପିୟା ଦେନରେ(୩୩),ରିମା ଦେନରେ(୨୨), ମୌସୁମୀ ଦେନରେ(୪୦), ବର୍ମାଲି ମାନ୍ନା(୩୪),ସଞ୍ଜିତ ପାତ୍ର(୩୪) ଓ ରୋଷେୟା ଗୋପାଳପୁର ଗ୍ରାମର ସ୍ୱପନ ଗୁଚାଇତ(୪୪)। ସମସ୍ତ ଆହତଙ୍କୁ ଦୁର୍ଗାପ୍ରସାଦ ଯୁବକ ସଂଘ,ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ଦମକଳ ଓ ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳରୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।୧୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।ହେଲେ ସେଠାରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପୁଣି କଟକ ମେଡ଼ିକାଲ ପଠାଯାଇଥିବା ଜଣାପଡିଛି।ବସଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ଓହ୍ଲାଇବା ପରେ ଦୁର୍ଘଟଣା ଘଟିଥିବା ଜଣାପଡିଛି।ଭଞ୍ଜନଗର ଏସଡ଼ିଏମଓ ସୀତାଂସୁ ଶେଖର ଶତପଥି, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ଧିରେସ କୁମାର ଦାସ, ବିପଦର ବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ, ସାମ୍ବାଦିକ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ। ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମେଡିକାଲରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ପୋଲିସ ଓ ପ୍ରଶାସନ ୬ଜଣଙ୍କ ମୃତ ଦେହ ଏବଂ ଅନ୍ୟ ସୁସ୍ଥ ୪୪ଜଣଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ରାଜ୍ୟ ପଶ୍ଚିମବଙ୍ଗ ପଠାଇଯାଇଛି। ଅପରପକ୍ଷରେ ଘଟଣା କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ଶୋକବ୍ୟକ୍ତ କରିବା ସହ ଗୁରୁତର ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here