ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ – ଜିଲ୍ଲାପାଳ

0
159

ଛତ୍ରପୁର: ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିଶନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇ ପାରିବ ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଉଛି ତାହା ସେମାନେ ଦେଖି ଜ୍ଞାନ ହାସଲ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ । ଓଡିଶାରୁ ସିଙ୍ଗାପୁର ବିମାନ ଯାତ୍ରା ଆସନ୍ତା ଜୁନ୍ ୩ ତାରିଖ ଦିନ ଶୁଭାରମ୍ଭ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ମିଶନ୍ ଶକ୍ତି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର ସଂପାଦିକା ଶୈଳବାଳା ରଥ, ଛତ୍ରପୁର ଏବଂ ତିନିଜଣ ଅଙ୍ଗନଓ୍ବାଡି କର୍ମୀ ସୁନୀତା କୁମାରୀ ସାହୁ ରଙ୍ଗେଇଲୁଣ୍ଡା ବ୍ଲକ୍, କୁନି ସ୍ବାଇଁ ଏବଂ ପୁଷ୍ପାଞ୍ଜଳୀ ପ୍ରଧାନ ଶେରଗଡ ବ୍ଲକ୍ ସିଙ୍ଗାପୁର ଗସ୍ତ କରିବା ପାଇଁ ମନୋନୀତ ହୋଇଛନ୍ତି । ସେମାନେ ସିଙ୍ଗାପୁରରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ ପାଇଁ ଶିକ୍ଷାଲାଭ ସହ ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ, ପ୍ୟାକିଂ, ବଜାରରେ ଚାହିଦା, ଆନ୍ତର୍ଜାତୀୟ ବଜାରକୁ ବିକ୍ରି ପାଇଁ ଛଡାଯିବା ଆଦି ଉପରେ ଜ୍ଞାନ ଆହରଣ କରିବେ । ଆଜି ସେହି ମାଆ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତିଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ , ଓଡିଶା ଜୀବୀକା ମିଶନ୍ ର ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଛତ୍ରପୁର ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ଏବଂ ସୁପରଭାଇଜର, ଛତ୍ରପୁର ବ୍ଲକ୍ ମିଶନ୍ ଶକ୍ତି ମହାସଂଘର କର୍ମକର୍ତ୍ତା, ଓରମାସ୍ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here