ଟିମ କ୍ଲିନ ସିଟିର ପୋଷ୍ଟର ଚିରା ଅଭିଯାନରେ ସାମିଲ ହେଲେ ସହରବାସୀ

0
284

ବ୍ରହ୍ମପୁର: କିଛିଦିନର ବ୍ୟବଧାନରେ ଟିମ କ୍ଲିନ ସିଟି ପକ୍ଷରୁ ରେଶମ ସହର ବ୍ରହ୍ମପୁରରେ ଆରମ୍ଭ ହୋଇଛି ପୋଷ୍ଟର ହଟାଅ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ପ୍ରଥମ ଦିନରେ ଆଜି ଟିମ ପକ୍ଷରୁ ସହରର 3ଟି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟ, ଖଲ୍ଲିକୋଟ ମହାବିଦ୍ୟାଳୟ ଓ ମହାମୟୀ ମହିଳା ମହାବିଦ୍ୟାଳୟର ସମ୍ମୁଖ ଓ ଆଖପାଖ ପ୍ରାଚୀରରେ ଲାଗିଥିବା ସମସ୍ତ ପୋଷ୍ଟର ଗୁଡିକୁ ଟିମ ସଦସ୍ୟଙ୍କ ଦ୍ୱାରା ବାହାର କରାଯାଇଥିଲା।ଆଜିର ଏହି ଅଭିଯାନକୁ ସ୍ୱାଗତ କରି ସ୍ଥାନୀୟ ଜନସାଧାରଣ ସ୍ୱତଃ ପ୍ରବୃତ୍ତ ଭାବେ ସାମିଲ ହୋଇଥିଲେ। ପୌର ଓ ପଂଚାୟତ ନିର୍ବାଚନ ଯୋଗୁଁ ଟିମ ପକ୍ଷରୁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗକୁ ଜାରି ରହିବ ଓ ବ୍ରହ୍ମପୁର ସହରକୁ ସୁନ୍ଦର ରଖିବାକୁ ଯାଇ ପୋଷ୍ଟର ମୁକ୍ତ କରାଯିବ ବୋଲି ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଟିମ ପକ୍ଷରୁ ସହରର ରାସ୍ତାକଡରେ ଥିବା ପ୍ରାଚୀର ଗୁଡିକୁ ସଫା କରାଯାଇଥିଲା। ପରେ ବିଇଏମସି ପକ୍ଷରୁ ସମ୍ପୃକ୍ତ ପ୍ରାଚୀରରେ ସମାଜକୁ ସଚେତନତାର ବାର୍ତ୍ତା ଦେବାଭଳି ବିଭିନ୍ନ ଚିତ୍ର ଅଙ୍କାଯାଇ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଥିଲା। ତେବେ ଆଜିର ଅଭିଯାନ ସମୟରେ ପ୍ରାଚୀରରେ ହୋଇଥିବା ଚିତ୍ର ଉପରେ ମଧ୍ୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏଣୁ ଏଦିଗରେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେବା ସହିତ ଅଭିଯାନର ସଫଳତା ପାଇଁ ସହରବାସୀଙ୍କ ସହଯୋଗ କାମନା କରିଛି ଟିମ କ୍ଲିନ ସିଟି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ କପିଳେଶ୍ୱର ପଟନାୟକ ସାମିଲ ହୋଇ ଟିମ ସଦସ୍ୟଙ୍କ ସହ ପୋଷ୍ଟର ଚିରିଥିଲେ।

LEAVE A REPLY

Please enter your comment!
Please enter your name here