ଆଣ୍ଡ୍ରିସ୍କ୍ୟୁ ୟୁଏସ୍ ଓପନ୍ ର ମହିଳା ସିଙ୍ଗ୍ଲସ ଚମ୍ପିଆନ୍

0
671

ନ୍ୟୁୟର୍କ : କାନାଡ଼ାର ୧୯ ବର୍ଷ ବୟସ୍କା ବିୟାଙ୍କା ଆଣ୍ଡ୍ରିସ୍କ୍ୟୁ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ର ମହିଳା ସିଙ୍ଗ୍ଲସ ଚମ୍ପିଆନ୍ ହେଇଛନ୍ତି । ନୂଆ ଚମ୍ପିଆନ୍ ଭାବେ ସେ ଚଳିତବର୍ଷର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ଆଣ୍ଡ୍ରିସ୍କ୍ୟୁ ୬-୩, ୭-୫ ସେଟ୍ରେ ୩୮ ବର୍ଷ ବୟସ୍କା ଆମେରିକାର ସେରେନା ୱିଲିୟମ୍ସଙ୍କୁ ପରାସ୍ତ କରିଛନ୍ତି। ଫଳରେ କ୍ରମାଗତ ୨ୟ ବର୍ଷ ପାଇଁ ୟୁଏସ୍ ଓପନ୍ ଫାଇନାଲରେ ସେରେନା ପରାସ୍ତ ହୋଇଛନ୍ତି।

୨ ବର୍ଷ ତଳେ ସନ୍ତାନ ପ୍ରସବ ପରେ ସେରେନା ୱିଲିୟମ୍ସ ଟେନିସ୍କୁ ଫେରିଥିଲେ। ଏହାପରେ ସେ ୭ଟି ଗ୍ରାଣ୍ଡସ୍ଲାମ୍ର ଫାଇନାଲରେ ପ୍ରବେଶ କରିଥିବା ବେଳେ ୪ଟିରେ ପରାସ୍ତହୋଇ ୩ଟିରେ ଜିତି ପାରିଛନ୍ତି। ଅନ୍ୟପକ୍ଷରେ ୧୫ନଂ ସିଡ୍ ବିୟାଙ୍କା ଆଣ୍ଡ୍ରିସ୍କ୍ୟୁ କାନାଡ଼ାର ସର୍ବପ୍ରଥମ ମହିଳା ଖେଳାଳି ଭାବେ ଏକ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। କାନାଡ଼ାର ୟୁଜିନି ବୌଚାର୍ଡ ୨୦୧୪ ୱିମ୍ବଲଡନ୍ ଫାଇନାଲରେ ପ୍ରବେଶ କରିଥିଲେ। ଚଳିତବର୍ଷ ବିୟାଙ୍କା ଆଣ୍ଡ୍ରିସ୍କ୍ୟୁ ଚମତ୍କାର ଫର୍ମରେ ଥିଲେ। ଏହି ଫାଇନାଲ ପୂର୍ବରୁ ଆଣ୍ଡ୍ରିସ୍କ୍ୟୁ ଚଳିତବର୍ଷ ୩୭ଟି ମ୍ୟାଚ୍ ଖେଳି ୩୩ଟି ଜିତିଥିଲେ। ସେଥିରୁ ଶୀର୍ଷ ୧୦ରେ ଥିବା ଖେଳାଳିଙ୍କ ମଧ୍ୟରୁ ୭ ଜଣଙ୍କୁ ପରାସ୍ତ କରିଥିଲେ। ସେରେନାଙ୍କ ବିପକ୍ଷରେ ଆଣ୍ଡ୍ରିସ୍କ୍ୟୁ ପ୍ରଥମ ବିଜୟ ହାସଲ କରିଛନ୍ତି। ମାର୍ଚ୍ଚରୁ ସେ ଅଦ୍ୟାବଧି ଗୋଟିଏ ମଧ୍ୟ ମ୍ୟାଚ୍ରେ ପରାସ୍ତ ହୋଇନାହାନ୍ତି। ଅନ୍ୟପକ୍ଷରେ ଟେନିସ୍ ଜଗତରେ କିମ୍ବଦନ୍ତୀର ମାନ୍ୟତା ପାଇ ସାରିଥିବା ସେରେନା ୟୁଏସ୍ ଓପନ୍ରେ ୧୦ମ ଫାଇନାଲ ଖେଳିଥିବା ବେଳେ ୧୦୨ତମ ମ୍ୟାଚ୍ ଖେଳିଥିଲେ। ସେରେନା ୬ ଥର ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଚମ୍ପିଆନ୍ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ଚମ୍ପିଆନ୍ ବିୟାଙ୍କା ଆଣ୍ଡ୍ରିସ୍କ୍ୟୁଙ୍କୁ ପୁରସ୍କାର ରାଶି ବାବଦରେ ୩୮,୫୦,୦୦୦ ଆମେରିକୀୟ ଡଲାର ମିଳିଛି।

LEAVE A REPLY

Please enter your comment!
Please enter your name here