ଆସିଲାନି ଜୱାଦ୍ ; ତଥାପି ଉଜୁଡ଼ିଗଲା ଚାଷୀର ଫସଲ

0
266

ବେଲଗୁଣ୍ଠା: ବାତ୍ୟା ଜୱାଦ୍ ଦୂର୍ବଳ ହୋଇଯିବା ଯୋଗୁଁ ଲୋକେ କିଛି ପରିମାଣରେ ଆଶ୍ଵସ୍ତି ଲାଭ କରିଥିଲେ ମଧ୍ୟ ତିନିଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି I ବିଶେଷ କରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ସମସ୍ତ 18 ଟି ପଞ୍ଚାୟତର ଚାଷୀଙ୍କ ବର୍ଷକର ଖାଦ୍ୟକୁ ନଷ୍ଟ କରିଦେଇଛି ଏହି ଲଘୁଚାପ ଜନିତ ବର୍ଷା I ଖରିଫଋତୁର ଆରମ୍ଭରୁ ହିଁ ବର୍ଷାର ଅଭାବ ଯୋଗୁଁ ବ୍ଳକର ବହୁ ଚାଷୀଙ୍କ ହେକ୍ଟର ହେକ୍ଟର ଜମି ପଡିଆ ପଡ଼ିଥିବା ବେଳେ ଚାଷୀମାନେ କେବଳ ନିଜର ବର୍ଷକର ଖାଦ୍ୟ ଯୋଗାଡ଼ କରିବା ପାଇଁ ବହୁ କଷ୍ଟରେ ଟ୍ୟାଙ୍କର୍ ଦ୍ୱାରା ଜଳ ସେଚନ କରି ଅଳ୍ପ ଜମିରେ ଧାନ ଚାଷ କରିଥିଲେ I କିନ୍ତୁ ପ୍ରକୃତିର ତାଣ୍ଡବ ସେହି ଖାଦ୍ୟ ମୁଠାକ ମଧ୍ୟ ଚାଷୀଙ୍କ ମୁହଁରୁ ଛଡ଼ାଇ ନେଇଛି I ବିଶେଷ କରି ବ୍ଳକ୍ ର ଗାଙ୍ଗପୁର ପଞ୍ଚାୟତର ଗାଙ୍ଗପୁର ,ବୋରୀ, ବିଞ୍ଝଗିରି ,କୁମୁଣ୍ଡି ଆଦି ଗ୍ରାମର ଶତ ପ୍ରତିଶତ ଚାଷ ଜମିରେ ଜଳ ସେଚନର ସୁବିଧା ନଥିବା ଯୋଗୁଁ ଏହି ଅଞ୍ଚଳ ଗୁଡ଼ିକରେ ଖୁବ୍ ଅଳ୍ପ ଜମିରେ ଫସଲ ହୋଇଥିବା ବେଳେ ଏସବୁ ଫସଲ ବର୍ତ୍ତମାନ ନଷ୍ଟ ହୋଇଯାଇଥିବା ଦେଖା ଯାଇଛି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଧନିଜାପଲ୍ଲୀ ଗ୍ରାମର ଟୁନା ବିଶ୍ୱାଳ, ଗୋଦାବରୀ ବେହେରା, ବାବୁଲା ସ୍ଵାଇଁ, କୃଷ୍ଣ ଚନ୍ଦ୍ର ବେହେରା,ବାଲି ସାହିର କନ୍ଧ ଜେନା, ବିଶୁ ପ୍ରଧାନ ,ଗଙ୍ଗା ପ୍ରଧାନ ପ୍ରମୁଖ ଚାଷୀଙ୍କ ଫସଲ ପାଣି ଭିତରେ ରହି ସଂପୂର୍ଣ୍ଣ ପଚି ଯାଇଥିବା ସୂଚନା ମିଳିଛି I ସେହିପରି ଖଇରପୁଟି,କ୍ଷତ୍ରିୟବରପୁର,ଗୋବରା, ମଙ୍ଗଳପୁର ,ଇଙ୍ଗିନାଠି , ଆମ୍ବପୁଆ ଆଦି ପଂଚାୟତର ଚାଷ ଜମି ଗୁଡ଼ିକରେ ଫସଲ ଉପରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି I ଗତ ନଭେମ୍ବର ମାସର ଲଗାଣ ବର୍ଷାର ପ୍ରଭାବରେ ଚାଷୀ ମାନଙ୍କ ଅର୍ଦ୍ଧାଧିକ ଫସଲ ନଷ୍ଟ ହୋଇଯାଇ ସେଥିରୁ ଗଜା ବାହାରି ପଡ଼ିଥିବା ବେଳେ ବର୍ତ୍ତମାନର ଲଗାଣ ବର୍ଷାରେ ବାକି ଫସଲ ନଷ୍ଟ ହୋଇଯାଇଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି I ବାତ୍ୟା ସମ୍ପର୍କରେ ଚାଷୀଙ୍କୁ ପ୍ରଶାସନ ତରଫରୁ କେବଳ ପୂର୍ବ ସୂଚନା ଦିଆଯିବା ବ୍ୟତୀତ ଅନ୍ୟ କୌଣସି ସହାୟତା କରାଯାଇନଥିଲା I ଫଳରେ ଚାଷୀ ମାନେ ନିଜସ୍ୱ ଉଦ୍ୟମରେ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଶ୍ରମିକ ଅଭାବ ଏବଂ ପରିବହନର ଅବ୍ୟବସ୍ଥା ଯୋଗୁଁ ସବୁ ଫସଲକୁ କାଟି ସୁରକ୍ଷିତ ସ୍ଥାନକୁ ନେବା ସମ୍ଭବ୍ ହୋଇନଥିଲା I ବହୁ ଚାଷୀ ଧାନ କାଟିବା ପାଇଁ ସକ୍ଷମ ହୋଇପାରିନଥିଲେ I ଫଳରେ ସେହି ଚାଷୀଙ୍କ ଧାନ ଗଛରୁ ଝଡ଼ି ପାଣିରେ ଭାସି ଯାଇଥିବା ବେଳେ କଟା ହୋଇ ଜମିରେ ପଡ଼ିଥିବା ଧାନ ଗଛ ସହିତରେ ପଚି ଯାଇଛି I ଫଳରେ ବ୍ଳକ୍ ର ଚାଷୀ ମାନେ ବର୍ଷକର ଖାଦ୍ୟ ଚିନ୍ତା ଏବଂ ସାହୁକାରର ଋଣ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିବା ସହ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here