ବାତ୍ୟା ଜୱାଦ ର ପ୍ରଭାବ,ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲି ମିଟର ବର୍ଷା ରେକର୍ଡ, ବୁଡ଼ି ରହିଛି ଧାନ ଫସଲ

0
251

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ବାତ୍ୟା ଟଳି ଯାଇଥିଲେ ବି ଅବପାତ ପ୍ରଭାବରେ ଗତକାଲି ରାତି ରୁ ଖଲ୍ଲିକୋଟ ରେ ପ୍ରବଳ ବର୍ଷା ହୋଇଛି । ଗତକାଲି ରାତିରୁ ଆଜି ଦିନ ୧୧ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା । ଖଲ୍ଲିକୋଟ ବ୍ଲକରେ ସର୍ବାଧିକ ୧୫୮ ମିଲି ମିଟର ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଇଛି । ଯାହାକି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି । ପ୍ରବଳ ବର୍ଷା ରେ ରାସ୍ତାଘାଟ, ନାଳ ନର୍ଦ୍ଦମା, ଜମି ଚାରିଆଡେ ଜଳମୟ ହୋଇ ଯାଇଥିଲା । ଏହି ବର୍ଷା ଯୋଗୁଁ ମୁଖ୍ୟତଃ ବିଲରେ ପାଣି ଜମି ରହିଥିବାରୁ ବହୁ ମାତ୍ରାରେ ଧାନ ଫସଲ ସମେତ ବିଭିନ୍ନ ପରିବା ଫସଲରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଖଲ୍ଲିକୋଟ ବ୍ଲକର ଲଙ୍ଗଳେଶ୍ବର ,କହ୍ନେଇପୁର, ମଥୁରା, ବିଏନପୁର, ଡିମିରିଆ, କନକା , କୋମଣ୍ଡ, ଦାନପୁର ,ତୁଳସୀପୁର ପ୍ରଭୃତି ପଂଚାୟତ ର ବହୁ ଚାଷ ଜମି ପାଣି ଘେରରେ ରହିଛି । କେତେକ ଜମିରେ ଚାଷୀ ଧାନ କାଟି ରଖିଥିବା ବେଳେ ତାହା ଏବେ ବର୍ଷା ପାଣିରେ ବୁଡି ରହିଛି । ଆଉ କେତେକ ଜମିରେ ସୁନାର ଫସଲ ଲହଡ଼ି ମାରୁଥିବା ବେଳେ ତାହା ଏବେ ନଇଁ ପଡି ବର୍ଷାଜଳରେ ବୁଡି ରହିଛି । ତୁଳସୀପୁର ପଂଚାୟତରେ ଧାନ ଗଦା ପ୍ରଖର ପାଣି ସୁଅରେ ଭାସି ଯାଉଥିବା ଦୃଶ୍ୟ ପ୍ରକୃତରେ ଅତ୍ୟନ୍ତ ଦୁଃଖଦାୟକ ଥିଲା । ଆଖି ଆଗରେ ତାର ବର୍ଷକର ପରିଶ୍ରମ ବର୍ଷା ଜଳରେ ଭାସି ଯାଉଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।ତୁଳସୀପୁର ଓ ଫାସୁଳା ରେ ବେକ ପର୍ଯ୍ୟନ୍ତ ବୁଡି ରହିଥିବା ବର୍ଷା ପାଣି ରୁ ଚାଷୀ ଧାନ ଫସଲ ଛାଣି ବାହାର କୁ ଆଣୁଥିବା ଦେଖିବାକୁ ମିଳିଛି ।ଖଲ୍ଲିକୋଟ ଏନଏସି ର ବାଲୁଙ୍କେଶ୍ୱରପୁର ଓ ମାଟିଆସାହି ରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ବର୍ଷକର ଅମଳ ପାଣି ରେ ବୁଡି ରହିଥିବା ରୁ ଚାଷୀ ଏବେ ଅଧିକ ମାତ୍ରାରେ ଭାଙ୍ଗି ପଡିଛି । ଋଣ କରି ଧାନ ଫସଲ କରିଥିବା ବେଳେ ଏବେ ପାଣି ଜମି ରହି ସବୁ ଧାନ ଫସଲ ନଷ୍ଟ ହୋଇଯାଇଛି । ସେମାନଙ୍କୁ ସରକାରୀ ସହାୟତା ସମେତ ବ୍ୟାଙ୍କ ଋଣ ଛାଡ ପାଇଁ ଦାବୀ କରିଛନ୍ତି ଚାଷୀ । ସେପଟେ ଖଲ୍ଲିକୋଟ ତହସିଲାଦର ରାଜକିଶୋର ପଟ୍ଟନାୟକ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲି କ୍ଷୟ କ୍ଷତି ଆକଳନ କରି ଫେରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here