କୁଦୁଲାର ଗଣଦୁଷ୍କର୍ମ ପିଡୀତା ଦଳିତ ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ

0
241

ବ୍ରହ୍ମପୁର : କୁଦୁଲାର ଦଳିତ ମହିଳାଙ୍କ ଗଣ ଦୁଷ୍କର୍ମ ପ୍ରତିବାଦରେ ଆଜି ବିଭିନ୍ନ ଗଣ ସଂଗଠନ, ହେତୁବାଦୀ ଓ ମାନବିକ ଅଧିକାର ସଂଗଠନମାନଙ୍କ ପକ୍ଷରୁ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର କୁଦୁଲା ଗ୍ରାମରେ ଗତ ଅଗଷ୍ଟ ଏଗାର ତାରିଖରେ ସ୍ଥାନୀୟ ଉଚ୍ଚ ଜାତିର ଲୋକେ ସଂଘବଦ୍ଧ ହୋଇ ଦଳିତ ସମ୍ପ୍ରଦାୟର ଜଣେ ବିଧବା ମହିଳାଙ୍କ ଉପରେ ଗଣଦୁଷ୍କର୍ମ କରିଛନ୍ତି । ସମ୍ପୃକ୍ତ ମହିଳାଙ୍କ ଏକମାତ୍ର ଅପରାଧ ଥିଲା, ତାଙ୍କର ପୁଅ ସ୍ଥାନୀୟ ଜଣେ ଉଚ୍ଚ ଜାତିର ଝିଅକୁ ଭଲ ପାଇବା ସହ ତାକୁ ବିବାହ କରିବା ଲକ୍ଷ୍ୟରେ ଉଭୟେ ଘରଛାଡି ବାହାରକୁ ଚାଲି ଯାଇଛନ୍ତି । ଏହାର ପ୍ରତିକ୍ରିୟାରେ ସ୍ଥାନୀୟ ଉଚ୍ଚ ଜାତିର ଲୋକମାନେ ଜାତିଗତ ବିଦ୍ଵେଷ ରଖି ସଂଘବଦ୍ଧ ଭାବେ ଏକ କଙ୍ଗାରୁ କୋର୍ଟ ଜରିଆରେ ବିଚାର କରି ସମ୍ପୃକ୍ତ ମହିଳାଙ୍କୁ ଦଣ୍ଡ ସ୍ଵରୂପ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏଭଳି ଘଟଣା କେବଳ ବର୍ବରୋଚିତ ନୁହେଁ ବରଂ ଦେଶର ଆଇନ ଓ ସମ୍ଵିଧାନ ପ୍ରତି ସିଧାସଳଖ ଆହ୍ୱାନ ବୋଲି କୁହାଯାଇପାରେ । ଜାତି ଓ ଲିଙ୍ଗଗତ ବିଦ୍ଵେଷର ଆଧାରରେ ସଙ୍ଗଠିତ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । କିନ୍ତୁ ପରିତାପର ବିଷୟ, ଏହି ଗଣଦୁଷ୍କର୍ମ ଘଟଣାର ଏତେ ଦିନ ପରେ ବି ପୋଲିସ ସମସ୍ତ ଅପରାଧୀମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।

ଏହି ପରିପ୍ରେକ୍ଷୀରେ କୁଦୁଲାର ପିଡିତା ମହିଳାଙ୍କୁ ନ୍ୟାୟ ଦେବା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପିଡୀତଙ୍କୁ ଯଥେଷ୍ଟ ପରିମାଣରେ ଅନୁକମ୍ପା ରାଶି ପ୍ରଦାନ କରିବା ଓ ରାଜ୍ୟର ଗ୍ରାମାଞ୍ଚଳରେ ବେଆଇନ ଭାବେ ଚାଲିଥିବା କଙ୍ଗାରୁ କୋର୍ଟ ଜରିଆରେ ଦଳିତ, ଆଦିବାସୀ ଓ ମହିଳାଙ୍କ ବିରୋଧରେ କରାଯାଉଥିବା ଶାରୀରିକ ଆକ୍ରମଣ, ଆର୍ଥିକ ଜୋରିମାନା ଓ ସାମାଜିକ ବାସନ୍ଦ ପରି ଦଣ୍ଡ ବିଧାନକୁ ବନ୍ଦ କରିବା ପାଇଁ ଆଇନ ପ୍ରଣୟନ କରାଯିବା ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରତାପ ନାୟକ, ଲଡୁ କିଶୋର ଡାକୁଆ, ନାରାୟଣ ବିଷୋୟୀ, ଆଇଏଫଟିୟୁ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସମ୍ପାଦକ କେ ନାନ୍ଦେଶୁ ସେନାପତି, ରାଜ୍ୟ କୋଷାଧ୍ୟକ୍ଷ ଡି ମୋହନ ରାଓ, ଆପ୍ ନେତା ସୁବାଷ ରାଉତ, ଆଦିତ୍ୟ ରଥ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସନ୍ତୋଷ ନାୟକ, ମେଡ଼ିକାଲ କର୍ମଚାରୀ ନେତା ରାଜଲକ୍ଷ୍ମୀ ସାହୁ, ଗାୟତ୍ରୀ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଶିବରାମ ସାହୁ, ତୋଫାନ ସମେତ ଅନେକ ରାଜନୈତିକ ଓ ସାମାଜିକ କର୍ମୀ ଯୋଗଦେଇଥିଲେ ।ପରେ ଉପସ୍ଥିତ ଗଣ ସଂଗଠନର ପ୍ରତିନିଧିମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here