ହାତୀ ଉପଦ୍ରବରେ ଆତଙ୍କିତ ଚାଷୀକୂଳ ; ବାଡ଼ ଭାଙ୍ଗିବା ସହ ମୂଲ୍ୟବାନ୍ ଡ୍ରାଗନ୍ ଫସଲ ନଷ୍ଟ କଲେ ହାତୀପଲ

0
237

ବେଲଗୁଣ୍ଠା: ଗତ ଧରି ଗାଙ୍ଗପୁର ବନାଞ୍ଚଳରେ ଏକ ଦଶଟିକିଆ ହତୀପଲ ଉପଦ୍ରବ ଚଳାଇଛନ୍ତି I ଗାଙ୍ଗପୁର ବନାଞ୍ଚଳ ନିକଟସ୍ଥ ପାଲକଷଣ୍ଢା,ବାଘୁଆପଲ୍ଲୀ,ଦୂମୁଦୂମି ଅଞ୍ଚଳରେ ଏହି ହାତୀପଲ କିଛି ଚାଷୀଙ୍କ ଫସଲ ନଷ୍ଟ କରିଥିବା ନଜରକୁ ଆସିଛି I ଫଳରେ ଆଗରୁ ଅନିୟମିତ ବର୍ଷା ଏବଂ ସାର ଅଭାବରୁ ମୁଣ୍ଡରେ ହାତ ଦେଇ ବସିଥିବା ଚାଷୀ ପୁଣି ହାତୀ ଭୟରେ ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ଯୋଗୁଁ ପାଲକଷଣ୍ଢା ଗ୍ରାମର କିଛି ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି I ବିଶେଷ କରି ଏହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଚାଷୀ ପ୍ରକାଶ ପାତ୍ରଙ୍କ ଫଳ ବଗିଚା ହାତୀ ଉପଦ୍ରବରେ ଅଧିକ ପ୍ରଭାବିତ ହୋଇଛି I ପ୍ରକାଶ ଥାଉକି ଶ୍ରି ପାତ୍ର ଚାକିରିରୁ ଅବସର ନେବା ପରେ ନିଜସ୍ୱ ଉଦ୍ୟମରେ ପାଖାପାଖି ୧୦ ଏକର ଜମିରେ ଆମ୍ବ,ପଣସ,ସଜନା ଏବଂ ମୂଲ୍ୟବାନ ଡ୍ରାଗନ ଫ୍ରୁଟ୍ ଚାଷ କରି ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି I କିନ୍ତୁ ବର୍ତ୍ତମାନ ହାତୀପଲଙ୍କର ବାରମ୍ବାର ଉପଦ୍ରବ ଦ୍ୱାରା ଶ୍ରୀ ପାତ୍ରଙ୍କର ଫାର୍ମ ହାଉସର ୨୦୦ମିଟର ରୁ ଅଧିକ ତାର ବାଡ଼ ନଷ୍ଟ ହୋଇଥିବା ବେଳେ, ୫୦ ରୁ ଅଧିକ ମୂଲ୍ୟବାନ ଫଳ ଗଛ ଏବଂ ମୂଲ୍ୟବାନ ଡ୍ରାଗନ ଫ୍ରୁଟ୍ ମଧ୍ୟ ନଷ୍ଟ ହୋଇଛି । ଏହା ସହିତ ଗ୍ରାମର କଂଗ୍ରେସ୍ ପ୍ରଧାନ ଏବଂ ଅନ୍ୟ କିଛି ଚାଷୀଙ୍କ ଧାନ ବିଲରେ ହାତୀ ପଲ ପଶି ଦଳା ଚକଟା କରିଥିବା ସୂଚନା ମିଳିଛି I ତେଣୁ ଏ ଦିଗରେ ବନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ହାତୀ ପଲକୁ ଘଉଡାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି I ଏହା ସହିତ ହାତୀ ପଲ ପାଲକଷଣ୍ଢା ଗ୍ରାମରେ ନପଶିବା ଖେଳାଯାଇଥିବା ଟ୍ରେଞ୍ଚ୍ କାର୍ଯ୍ୟକୁ ଯଥା ଶୀଘ୍ର ସାରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I ହାତୀପଲ ସମ୍ପର୍କରେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରାଙ୍କୁ ଯୋଗାଯୋଗ କରିବା ପରେ ହାତୀ ପଲକୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା କରୁଥିବା ବେଳେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଖୁବ୍ ଶୀଘ୍ର ସେମାନଙ୍କୁ କ୍ଷତି ପୂରଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here