ପାରିବାରିକ କଳହରୁ ସ୍ବାମୀ ଓ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା

0
260

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଖବରନୁଯାୟୀ ,ପାଟପୁର ଥାନା ପୋଡାମାରୀରେ ବାସ କରୁଥିବା ସନ୍ତୋଷ କୁମାର ଗୈାଡ ଓ ତାଙ୍କ ସ୍ତ୍ରୀ ନୟନୀ କୁମାରୀ ଗୈାଡଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ସେମାନେ ବ୍ୟସ୍ତ ବିବ୍ରତ ହୋଇ ଘରେ ରହିଥିବା ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଶନିବାର ସକାଳୁ ସନ୍ତୋଷଙ୍କ କବାଟ ନ ଖୋଲା ହେବା ଦେଖି ପଡୋଶୀ କବାଟ ବାଡେଇଥିଲେ । କିନ୍ତୁ କୈାଣସି ପ୍ରତିକ୍ରିୟା ନ ମିଳିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀଙ୍କୁ ଖବର ଦେଇଥିଲେ । ଏହାପରେ ଗ୍ରାମର କିଛି ଯୁବକ କବାଟ ଭାଙ୍ଗି ଦେଖିବା ବେଳକୁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନୀ ବିଛଣାରେ ଛଟପଟ ହେଉଥିଲେ।ଗ୍ରାମବାସୀ ଗୁରୁତର ଅବସ୍ଥାରେ ନୟନୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଘଟଣାପରେ ପାଟପୁର ପୋଲିସ ପୋଡାମାରୀ ଗ୍ରାମରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିବା ବେଳେ ତଦନ୍ତ ଜାରିରହିଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ବର୍ତ୍ତମାନ ଉକ୍ତ ଗ୍ରାମରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here