୧୩୩ ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

0
253

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁ କୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲା ରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ । ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହ କୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି । ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖ୍ୟ ସରପଞ୍ଚ ,ୱାର୍ଡମେମ୍ବର ,ସ୍ବଂସହାୟକ ଦଳ ମାନଙ୍କ ସହିତ ବାଲ୍ୟ ବିବାହ ର କୁପରିଣାମ ବୈଠକ , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ , ରକ୍ତ ହୀନତା ର ମୁକାବିଲା , ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୋହସାର ବଟିକା କୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି । ଏହାର ପ୍ରଭାବରେ ଗ୍ରାମ ଗୁଡିକରେ ଜାତି ସମାଜର ମୁଖ୍ୟ , ସରପଞ୍ଚ ,ୱାର୍ଡମେମ୍ବର ,ସ୍ବଂସହାୟକ ଦଳ ମାନେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ , ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ମୋଟ ୧୩୩ ଟି ଗ୍ରାମକୁ ଆନୁଷ୍ଟାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି ।ଏହି ଗ୍ରାମ ଗୁଡିକ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକରେ ୧୬ ଟିଗାଁ , କୋଷାଗୁମୁଡା ବ୍ଲକରେ ୧୨ ଟି ଗାଁ , ଉମରକୋଟ ବ୍ଲକ ରେ ୬୧ ଟି ଗାଁ , ରାଇଘର ବ୍ଲକ ରେ ୨ ଟି ଗାଁ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୪୨ ଟି ଗାଁ ଗ୍ରାମ ଅନ୍ତର୍ଭୁକ୍ତ ଅଟେ । ସେହି ପରି ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ ,ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଟି ଗ୍ରାମ , ମେ ମାସରେ ୩୬ ଗ୍ରାମ , ଜୁଲାଇ ମାସରେ ୮୪ ଟି ଗ୍ରାମ , ଅଗଷ୍ଟ ୧୦୯ ଟି ଗ୍ରାମ ଓ ସେପ୍ଟେମ୍ବର ୧୩୩ ଟି ଗ୍ରାମ କୁ ମିଶାଇ ମୋଟ ୪୧୪ ଟି ଗ୍ରାମ କୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here