ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକ ମୃତ,ଶବ ଫେରାଇ ଆଣିବାକୁ ପ୍ରଶାସନର ଦ୍ବାରସ୍ଥ ପରିବାର ଲୋକେ

0
464

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚଲାଣଗୁଡ଼ା ଗ୍ରାମର ଜଣେ ଯୁବକ ହାଇଦ୍ରାବାଦ ନିକଟ ମେଡିପେଲି ଗ୍ରାମରେ ଏକ ଫୁଲ ବଗିଚାରେ କାମ କରୁଥିବା ସମୟରେ ତାଙ୍କ ଉପରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ଚଲାଣଗୁଡ଼ା ଗ୍ରାମର ସନ୍ତୋଷ କୁମ୍ଭାର ୩୦ ) ବୋଲି ଜଣାପଡ଼ିଛି । ଦାଦନ ଖଟିବାକୁ ସାଥିରେ ଯାଇଥିବା ମୃତ ସନ୍ତୋଷ କୁମ୍ଭାରଙ୍କ ପତ୍ନୀ ସବିତା ଘଟଣା ସଂପର୍କରେ ସୂଚନା ଦେବା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତେବେ ମୃତ ସନ୍ତୋଷଙ୍କ ଶବ କିପରି ଚଲାଣଗୁଡ଼ା ଗ୍ରାମରେ ପହଞ୍ଚିବ । ସେ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ସୂଚନା ଅନୁଯାୟୀ , ଗତ ୨୦ ଦିନ ତଳେ ଡାବୁଗାଁ ଥାନା ଅନ୍ତର୍ଗତ ଚଲାଣଗୁଡ଼ା ଗ୍ରାମର ଜଗନ୍ନାଥ କୁମ୍ଭାରଙ୍କ ପୁଅ ସନ୍ତୋଷ କୁମ୍ଭାର ନିଜ ପତ୍ନୀ ସବିତା ଓ ଦୁଇ ଶିଶୁ ସହ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ନିକଟ ବନଗିରି ଜିଲ୍ଲାର ମେଡିପେଲି ଗ୍ରାମକୁ ଯାଇଥିଲେସେଠାରେ ଏକ ଫୁଲ ବଗିଚାରେ ରହି ସ୍ଵାମୀ ସ୍ତ୍ରୀ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ସନ୍ତୋଷ କୁମ୍ଭାର ଫୁଲ ବଗିଚାରେ କାମ କରୁଥିବା ବେଳେ ଫୁଲ ବଗିଚା ଉପର ଦେଇ ଯାଇଥିବା ଏକ ବିଦ୍ୟୁତ୍ ତାର ଛିଡ଼ି ଯାଇ ସନ୍ତୋଷ ଉପରେ ପଡ଼ିଯାଇଥିଲା । ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବନଗିରି ଏରିଆ ହସ୍ପିଟାଲକୁ ନେଇଥିବା ସୂଚନା ମିଳିଛି । ବନଗିରି ହସ୍ପିଟାଲରେ ଶବ ରହିଥିବା ବେଳେ ସ୍ତ୍ରୀ ସବିତା ଦୁଇ ଜଣ ଶିଶୁ ସହ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ସ୍ୱାମୀଙ୍କ ମରଶରୀର ସହ ଦୁଇ ଶିଶୁଙ୍କୁ ନେଇ କିପରି ଗାଁରେ ପହଞ୍ଚିବେ ସେ ନେଇ ଚିନ୍ତାରେ ରହିଥିବା ବେଳେ ଚଲାଣଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଗ୍ରାମକୁ ଶବ ଫେରାଇ ଆଣିବାକୁ ପରିବାର ଲୋକ ନିବେଦନ କରିଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here