ଦୁଇ ପରିବାର କୁ ବାସନ୍ଦ କଲେ ଗ୍ରାମବାସୀ

0
424

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ପଞ୍ଚାୟତ ପୋଖରୀରେ ମାଛ ଯାଅଁଳ ଛାଡ଼ିବାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ସହିତ ଯୁକ୍ତିତର୍କ ହେବାରୁ ଦୁଇଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି । ପ୍ରାୟ ୧ମାସ । ହେଲା ଏହି ଦୁଇଟି ପରିବାର ସହିତ ଗ୍ରାମବାସୀ କଥାବାର୍ତ୍ତା କରୁନାହାନ୍ତି । ଏପରିକି ଏହି ଦୁଇଟି ପରିବାରକୁ ଗ୍ରାମର କୌଣସି ଦୋକାନରୁ ସାମଗ୍ରୀ କିଣିବାକୁ ଦିଆଯାଉନି । ଅନ୍ୟପଟେ ପୋଖରୀ ନିକଟରେ ଗ୍ରାମବାସୀ ହିଡ଼ ବାନ୍ଧିବାରୁ ଜମିକୁ ପାଣି ଆସୁ ନଥିବା ନେଇ ବାସନ୍ଦ ହୋଇଥିବା ଦୁଇଟି ପରିବାର ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରି ଗ୍ରାମବାସୀ ଥାନାରେ ହୋହଲ୍ଲା କରିଥିଲେ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମରେ ସୂଚନା ଅନୁଯାୟୀ , ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହଳଦୀ ଗ୍ରାମରେ ଥିବା ଏକ ପୋଖରୀକୁ ପଞ୍ଚାୟତ ତରଫରୁ ଲିଜ୍ ଆକାରରେ ଦିଆ ଯାଇଛି ।ପ୍ରତିବର୍ଷ ଗ୍ରାମବାସୀ ଏହି ପୋଖରୀରେ ମାଛ ଚାଷ କରୁଛନ୍ତି । ଏହି ପୋଖରୀ ନିକଟରେ ହଳଦୀ ଗ୍ରାମର ଧନୁର ସିଂ ଓ ଜମିର ସିଂଙ୍କ କିଛି ଜମି ରହିଛି । ଗତ ଏକ ମାସ ତଳେ ଏହି ପୋଖରୀରେ ହଳଦୀ ଗ୍ରାମବାସୀ । ମାଛ ଯୌଅଁଳ ଛାଡ଼ିଥିଲେ । ତେବେ ମାଛ ଯାଅଁଳ ଛାଡ଼ିବା ଦ୍ବାରା ପୋଖରୀର ପାଣି ଜମିରେ ପହଞ୍ଚିବାରେସମସ୍ୟା ହେବ ବୋଲି ଧନୁର ଓ ଜମିର ଗ୍ରାମବାସୀଙ୍କୁ କହିଥିଲେ । ଏହାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ସହିତ ଉଭୟ ଯୁକ୍ତିତର୍କ କରିଥିଲେ । ପୋଖରୀରେ ମାଛ ଯାଅଁଳ ଛାଡ଼ିବାକୁ ବାରଣ କରିବାରୁ ଗ୍ରାମବାସୀ ଏଥିରେ ଉତ୍ୟକ୍ତ ହୋଇ ଏହି ଦୁଇଟି ପରିବାରକୁ ସାମାଜିକ ବାସନ୍ଦ କରି ଦେଇଥିଲେ । ଏହି ଦୁଇଟି ପରିବାରସହିତ ଗ୍ରାମବାସୀ କଥାବାର୍ତ୍ତା ହେଉ ନଥିବା ବେଳେ ଗ୍ରାମର କୌଣସି ଦୋକାନରୁ ସାମଗ୍ରୀ କିଣିବାକୁ ବାରଣ କରାଯାଇଛି । ଏପରିକି ଏହି ଦୁଇଟି ପରିବାରକୁ କୌଣସି ପ୍ରକାର ସହଯୋଗ ନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଯଦି କେହି ଏମାନଙ୍କୁ ସହଯୋଗ କରନ୍ତି ତେବେ ୫ହଜାର ଜରିମାନା ଆଦାୟ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଗତ ୨୨ ତାରିଖ ଦିନ ହଳଦୀ ଗ୍ରାମବାସୀ ଏହି ପୋଖରୀରେ ଗଳିତ ରଖିବା ପାଇଁ ହିଡ଼ ବାନ୍ଧିଥିଲେ । ଏହାକୁ କେନ୍ଦ୍ର କରି ଧନୁର ସିଂ ଓ ଜମିର ସିଂ ଆଜି ଡାବୁଗାଁ ଥାନାରେ ପହଞ୍ଚି କିଛି ଗ୍ରାମବାସୀଙ୍କ ନାଁରେ ଏତଲା ଦେଇଛନ୍ତି । ପୋଖରୀରେ ହିଡ଼ ବାନ୍ଦିବା ଦ୍ଵାରା ଜମିକୁ ପାଣି ଯିବାରେ ସମସ୍ୟା ହେବ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଏହି ଖବର ପାଇବା ପରେ ହଳଦୀ ଗ୍ରାମର ଶତାଧିକ ଲୋକ ଥାନା ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ । ଆସନ୍ତାକାଲି ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏନେଇ ଆଲୋଚନା କରାଯିବ ବୋଲି ପୁଲିସ କହିବା ପରେ ଗ୍ରାମବାସୀ ଗାଁକୁ ଫେରିଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here