ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବିରେ ଜୁଲାଇ ୧୫ରେ ତିନୋଟି ବିପ୍ଳବୀ କମ୍ୟୁନିଷ୍ଟ ଦଳର “ଓଡିଶା ବନ୍ଦ” ଡାକରାକୁ ସଫଳ କରିବାକୁ ନିବେଦନ

0
299

ବ୍ରହ୍ମପୁର : କେନ୍ଦ୍ରର ମୋଦି ନେତୄତ୍ଵାଧିନ ଆର୍ ଏସ୍ ଏସ୍ ଓ ବିଜେପି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଲଗାତାର ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ଉପରେ ଦରବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି । ବିଶେଷ କରି କୃଷି, ଯାତ୍ରୀ ଓ ମାଲ୍ ପରିବହନରେ ପ୍ରମୁଖ ଇନ୍ଧନ ରୂପେ ପରିଚିତ ଡିଜେଲର ଦରବୃଦ୍ଧି କୂଷିର ଉତ୍ପାଦନ ଖର୍ଚ୍ଚକୁ ବଢାଇବା ସହିତ ବଜାରର ପ୍ରାୟ ସମସ୍ତ ଜିନିଷକୁ ମହଙ୍ଗା କରିଦେଇଛି । ଫଳସ୍ୱରୂପ ଡାଲି, ଖାଇବା ତେଲ ଭଳି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଇତି ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ଘଟିଛି। କରୋନା ମହାମାରୀ ଓ ଲକଡାଉନ୍ ଫଳରେ ସାଧାରଣ ଜନତା ନିଜର ରୋଜଗାର ଓ ବ୍ୟବସାୟ ହରାଇ ଅତ୍ୟନ୍ତ ଦୁର୍ଦ୍ଦଶାର ଶୀକାର ହୋଇଥିବା ବେଳେ ମୋଦି ସରକାର ଦ୍ଵାରା ଦରବୃଦ୍ଧିର ଏହି ବୋଝ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି ।

ଗତ ବର୍ଷ ମାର୍ଚ୍ଚ ଠାରୁ ମଇ, ଦୁଇ ମାସ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କକୁ ଯଥାକ୍ରମେ ଟ. ୧୩/- ଓ ୧୬/- ବୃଦ୍ଧି କରିଥିଲେ, ଯାହାକି ଏଯାଏଁ ହୋଇଥିବା ସବୁଠାରୁ ବଡ଼ ବୃଦ୍ଧି ଥିଲା । ଆମେ ଆଜି ପେଟ୍ରୋଲ ଓ ଡିଜେଲ ପାଇଁ ଯେଉଁ ମୂଲ୍ୟ ଦେଉଛେ ତାର ୬୫% ହିଁ ହେଉଛି ଟିକସ ଯାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିନା ଦ୍ଵିଧାରେ ଲୁଟି ନେଉଛନ୍ତି । କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ନାଁରେ ବିପୁଳ ଟିକସ ନେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଭାଟ୍ ନାଁରେ ବିପୁଳ ଅର୍ଥ ଲୁଟି ଚାଲିଛନ୍ତି । ବିଶେଷ କରି ଦେଶରେ କୃଷି, ଯାତ୍ରୀ ପରିବହନ ଓ ମାଲ ପରିବହନର ବଡ ଭାଗଟି ଡିଜେଲ ଜରିଆରେ ହେଉଥିବାରୁ ଏହାର ମୂଲ୍ୟରେ ବାରମ୍ବାର ବୃଦ୍ଧି ଫଳରେ ଫସଲ ଉତ୍ପାଦନ, ବସ ଭଡା ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ଘଟିଛି ।

ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ଲଗାତାର ମିଛ କହି ନିଜର ଜନବିରୋଧି କାମକୁ ଲୁଚାଇବାକୁ ଚେଷ୍ଟା କରି ଆସିଛନ୍ତି । କେତେବେଳେ ଆନ୍ତର୍ଜାତୀୟ ଦରବୃଦ୍ଧି ତ କେତେବେଳେ ପୂର୍ବ ସରକାରର ନିଷ୍ପତ୍ତି ତ କେତେବେଳେ ରାଜକୋଷର ନିଅଣ୍ଟ ଭରଣା କଥା କହି ଦର ବଢେଇବାକୁ ଯଥାର୍ଥ ବୋଲି କହିଛନ୍ତି । ଯଦି ଆନ୍ତର୍ଜାତୀୟ ବଜାର ଦର କାରଣ ହୋଇଥାନ୍ତା ତାହେଲେ ବିଶ୍ଵର ଅନ୍ୟ ଦେଶମାନଙ୍କରେ ଆମଠାରୁ ଏତେ ଶସ୍ତାରେ ପେଟ୍ରୋଲ ଡିଜେଲ ମିଳୁ ନଥାନ୍ତା । ଭାରତରେ ଏବେ ପେଟ୍ରୋଲ ଲିଟର ପିଛା ଦର ଶହେ ଟଙ୍କା ପାର କରିଥିବା ବେଳେ ଆମର ପଡୋଶୀ ପାକିସ୍ତାନ (ଟ. ୫୨.୨୧), ଶ୍ରୀଲଙ୍କା (ଟ. ୬୮.୬୪), ନେପାଳ (ଟ. ୭୮.୮୩) ଓ ବାଂଲାଦେଶରେ (ଟ. ୭୭.୯୨) ରହିଛି । ଅନ୍ୟପକ୍ଷରେ ଦେଶରେ ଧନୀ ଲୋକଙ୍କ କାମରେ ଲାଗଥିବା ଉଡାଜାହାଜର ଇନ୍ଧନ ଦର ଲିଟର ପିଛା ବର୍ତ୍ତମାନ ଟ. ୬୧.୩୦ ରହିଛି ।

ଅନ୍ୟ ପକ୍ଷରେ ରାଜକୋଷର ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ଆମେରିକା ଓ ଇଂଲଣ୍ଡ ପରି ଆମ ଦେଶର କର୍ପୋରେଟମାନଙ୍କ ଉପରେ ଟିକସକୁ ବଢେଇ ପାରିଥାନ୍ତେ । କିନ୍ତୁ ସେପରି ନକରି ସରକାର ଆମ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ବଢାଇ ନିଜର ଆୟବୃଦ୍ଧି କରିବାକୁ ଚାହିଁଛନ୍ତି ।

ସେହିପରି ମାଗଣା କରୋନା ଟିକା ଦେବାର ଆଳ ଦେଖାଇ ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ତାହା ବି ମିଛ ଅଟେ । ପ୍ରଥମ କଥା ହେଲା, ମାଗଣାରେ ଟିକାକରଣ କେବଳ ଭାରତରେ ହେଉନି, ବରଂ ବିଶ୍ଵର ସବୁ ଦେଶର ସରକାର ନିଜର ନାଗରିକମାନଙ୍କୁ ମାଗଣାରେ କରୋନା ଟିକା ଦେଉଛନ୍ତି । ସରକାର ଦେଶରେ ମାଗଣାରେ କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ କେବଳ ଗତ ଆର୍ଥିକ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ନେଇଛନ୍ତି । ସେହିପରି ରନ୍ଧନ ଗ୍ୟାସ ଉପରେ ସରକାର କୌଣସି ଟିକସ ନେଉ ନଥିଲେ ମଧ୍ୟ ତା ଉପରେ ପୂର୍ବରୁ ଦିଆଯାଉଥିବା ସବସିଡିକୁ ଖତମ୍ କରିବା ଫଳରେ ତାର ଦର ଗତ କିଛି ବର୍ଷ ମଧ୍ୟରେ ଦୁଇ ଗୁଣ ହୋଇ ଯାଇଛି ।

ପେଟ୍ରୋଲ, ଡିଜେଲର ଦରବୃଦ୍ଧି ସପକ୍ଷରେ ସରକାର ଯେତେଯାହା ଯୁକ୍ତି ବଢିଲେ ବି ପ୍ରକୃତ କଥା ହେଉଛି ବଡ଼ ବଡ଼ କରପୋର୍ଟେ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦିଆଯାଉଛି । ଅନ୍ୟପଟେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ଦେଶର କର୍ପୋରେଟ୍ କମ୍ପାନୀମାନେ ନେଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଆଉ ସୁଝୁ ନଥିବାରୁ କେନ୍ଦ୍ର ସରକାର ତାକୁ ଉଦ୍ଧାର କରିବା ପରିବର୍ତ୍ତେ ଜନଗଣଙ୍କ ଉପରେ ଟିକସ ଆଦାୟ କରି ଏହି ଅର୍ଥକୁ ଭରଣା କରୁଛନ୍ତି ।

ପେଟ୍ରୋଲ ଓ ଡିଜେଲ ନାଁରେ ଜନଗଣଙ୍କ ଠାରୁ ଲୁଟର ଏହି ଖେଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସାମିଲ ହୋଇଛନ୍ତି । ଓଡ଼ିଶାର ଶାସକ ବିଜେଡି ଦଳ ଅତିତରେ ନିର୍ବାଚନକୁ ଦେଖି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରତିବାଦ କରିଥିଲେ ମଧ୍ୟ ଆଜି ଲଗାତାର ଦରବୃଦ୍ଧି ସତ୍ଵେ ଟିକିଏ ବି ପ୍ରତିବାଦ କରିବା ଦେଖାଯାଇନି । ବରଂ ଦରବୃଦ୍ଧି ଫଳରେ ତ୍ରାହି ତ୍ରାହି ଡାକୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନୀରବ ରହି ଉପଭୋଗ କରୁଛି ।

ଏହି ପରିପ୍ରେକ୍ଷୀରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ଦରବୃଦ୍ଧିକୁ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟର ତିନୋଟି ବିପ୍ଳବୀ କମ୍ୟୁନିଷ୍ଟ ଦଳ ସିପିଆଇ(ଏମ୍-ଏଲ୍) ନିଉ ଡେମୋକ୍ରାସୀ, ସିପିଆଇ(ଏମ୍-ଏଲ୍) ଓ ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ପକ୍ଷରୁ ଆସନ୍ତା *ଜୁଲାଇ ୧୫ ତାରିଖରେ ସକାଳ ୬ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ “ଓଡିଶା ବନ୍ଦ”* ର ଡାକରା ଦିଆଯାଇଛି । ଏଥିରେ ସମାଜର ସବୁ ବର୍ଗର ଲୋକମାନେ ସାମିଲ ହୋଇ ତାକୁ ସଫଳ କରିବାକୁ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ମୁଖପାତ୍ର, ସିପିଆଇ(ଏମ୍-ଏଲ୍) ନିଉ ଡେମୋକ୍ରାସୀଶ୍ରୀକାନ୍ତ ମହାନ୍ତି , ରାଜ୍ୟ ସମ୍ପାଦକ, ସିପିଆଇ(ଏମ୍-ଏଲ୍)ପ୍ରମିଳା ବେହେରା, ରାଜ୍ୟସମ୍ପାଦିକା, ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here