ଧାନ ସଂଗ୍ରହ ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ଚାଷୀଙ୍କୁ ରାତିଅଧିଆ ଗିରଫଦାରୀକୁ ଏଆଇକେଏମଏସର ନିନ୍ଦା

0
240

ଗଞ୍ଜାମ : ମଣ୍ଡିରେ ବିକ୍ରି ନହୋଇ ପଡି ରହିଥିବା ଧାନକୁ ତୁରନ୍ତ ସରକାର କ୍ରୟ କରିବା ଦାବିରେ ଗତ ମାର୍ଚ୍ଚ ୪ ତାରିଖରେ ବ୍ରହ୍ମପୁର ରାୟପୁର ରାଜପଥର କେନ୍ଦୁପଦର ଠାରେ ଶହ ଶହ ଚାଷୀ ଧାନବସ୍ତା ରଖି ଗଣତାନ୍ତ୍ରିକ ପନ୍ଥାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ପରେ ସ୍ଥାନୀୟ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କ ଦାବି ମାନି ନେଇ ଧାନ ସଂଗ୍ରହ କରିବାକୁ ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ଇତି ମଧ୍ୟରେ ଗାଙ୍ଗପୁର ପୋଲିସ ପକ୍ଷରୁ ସେଦିନର ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ପରି ବିଭିନ୍ନ ମିଥ୍ୟା ମାମଲାରେ ମୋକଦ୍ଦମା କରାଯିବା ସହ ଗତକାଲି ରାତିରେ ଆଠ ଜଣ ଚାଷୀଙ୍କୁ ଗିରଫ କରାଯାଇଛି । ପୋଲିସ ଗତ ରାତି ୨ ଟାରେ ଯେଉଁ ମାନଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ଗହଙ୍ଗୁ ଗ୍ରାମର କିଶୋର ମହାନ୍ତି (୭୦ ବର୍ଷ), ବଳରାମ ମହାନ୍ତି (୩୫ ବର୍ଷ), ଭଗବାନ ମହାନ୍ତି (୭୦ ବର୍ଷ), ବାବୁଲା ମହାରଣା (୪୫), କେନ୍ଦୁପଦରର ଶୁଶାନ୍ତ କୁମାର ରାଉତ (୪୨ ବର୍ଷ), ଫାପଳପୁରର କୋଭିଡ ସଂକ୍ରମିତ ୫୦ ବର୍ଷୀୟ ସରୋଜ ପାଣିଗ୍ରାହୀଙ୍କ ସମେତ ଆଠ ଜଣ ଚାଷୀଙ୍କୁ ରାତି ୨ ଟାରେ ଗାଙ୍ଗପୁର ପୋଲିସ ଆସି ଅନ୍ୟାୟ ଭାବେ ଗିରଫ କରିଛି ।କୋଭିଡ ମହାମାରୀ ସମୟରେ ଜେଲ ଭିତରେ କ୍ଷମତା ଠାରୁ ଅଧିକ ବନ୍ଦୀ ଥିବାରୁ ଖୋଦ୍ ସୁପ୍ରିମକୋର୍ଟ ଅପେକ୍ଷାକୃତ ଛୋଟ ଅପରାଧରେ ଥିବା ବିଚାରଧୀନ ବନ୍ଦୀଙ୍କୁ ବେଲରେ ଛାଡିଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ସମୟରେ ଗାଙ୍ଗପୁର ପୋଲିସ ଚାଷୀମାନଙ୍କୁ ଏଭଳି ରାତିଅଧିଆ ଗିରଫ କରିବା ନିନ୍ଦନୀୟ ଅଟେ । ଏଭଳି ଦମନମୂଳକ ନୀତି ଜରିଆରେ ନବୀନ ସରକାର ଧାନକିଣା ନେଇ ନିଜର ଅପାରଗତାକୁ ଘୋଡେ଼ଇବାକୁ ତଥା ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ପ୍ରତିବାଦର ସ୍ଵରକୁ ଦବେଇ ଦେବାକୁ ଚାହୁଁଥିବା ସ୍ପଷ୍ଟ ହୋଇ ଯାଇଛି । ଆମେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା (ଏଆଇକେଏମଏସ)ର ରାଜ୍ୟ କମିଟି ପକ୍ଷରୁ ଗିରଫ ଚାଷୀମାନଙ୍କୁ ତୁରନ୍ତ ନିସର୍ତ୍ତରେ ଖଲାସ କରିବା ପାଇଁ ଏବଂ ଚାଷୀମାନଙ୍କ ବିରୋଧରେ ହୋଇଥିବା ମିଥ୍ୟା କେଶକୁ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବି କରୁଛୁ ।

LEAVE A REPLY

Please enter your comment!
Please enter your name here