ସାଗର କବଜ ଅଭିଯାନରେ ଗଂଜାମ ଜିଲ୍ଲା ସମୁଦ୍ର କୂଳରେ ପୋଲିସିର ମକଡ୍ରିଲ।

0
683

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସମୁଦ୍ର ପଟୁ ଆତଙ୍କବାଦୀଙ୍କ ପ୍ରବେଶକୁ ରୋକ ଲଗାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପୁଲିସ ଓ କୋଷ୍ଟଗାର୍ଡର ମିଳିତ ସହଯୋଗରେ ବେଳାଭୂମିରେ ପୁଲିସ ଫୋର୍ସ ପକ୍ଷରୁ କଡା କଡି ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥାଏ। ଏହିକ୍ରମରେ ବୁଧବାର ଓ ଗୁରୁବାର ଦୁଇଦିନିଆ ସାଗର ସୁରକ୍ଷା କବଚ ନାମରେ ବ୍ରହ୍ମପୁର ପୁଲିସ ପକ୍ଷରୁ ସାମୁଦ୍ରିକ ଥାନା ଇଲାକାରେ ମକଡ୍ରିଲ ଆରମ୍ଭ କରାଯାଇଛି। ବ୍ରହ୍ମପୁର ଏସପି ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଗୃହରକ୍ଷୀ ଏବଂ ଓଆର କନେଷ୍ଟବଳ ମୁତୟନ କରାଯାଇଛି। ଏହାସହିତ ଗୋପାଳପୁର ଓ ଗୋଳନ୍ଥରା ଥାନା ପୁଲିସ ମାନେ ମଧ୍ୟ ସାମିଲ ରହିଛନ୍ତି। ଗୋପାଳପୁର ବେଳାଭୂମିଠାରୁ ସୁନାପୁର ବେଳାଭୂମି ପର୍ୟ୍ୟନ୍ତ ପୁଲିସ ଫୋର୍ସ ମୁତୟନ ରହି ସମୁଦ୍ର ପଟରୁ ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇପାରିବ ତାହାର ରଣ କୌଶଳ ଶିଖିବା ସହ ସର୍ତକ ନଜର ରଖିଛନ୍ତି। ଏନେଇ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଆଜି ଠାରୁ ଆରମ୍ଭ ହୋଇଥିବା ମକଡ୍ରିଲ ଗୁରୁବାର ସଂଧ୍ୟା ପର୍ୟ୍ୟନ୍ତ ଜାରି ରହିବ। ଜଳମାର୍ଗରେ ଆତଙ୍କବାଦୀଙ୍କ ପ୍ରବେଶକୁ ରୋକିବା, ସେମାନଙ୍କ ଗତବିଧି ଉପରେ କଡା ନଜର ରଖିବା, ସମୁଦ୍ର ତଟର ସୁରକ୍ଷା, ଜନ ସାଧାରଣଙ୍କ ଧନଜୀବନର ସୁରକ୍ଷା ସାଙ୍ଗକୁ ଆସନ୍ତା ୨୮ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ବୋଲି ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ଏହି ଦୁଇ ଦିନିଆ ମକଡ୍ରିଲରେ ଜଳଦସ୍ୟୁଙ୍କୁ କିପରି ମୁକାବିଲା କରାଯିବ ସେ ନେଇ ପୁଲିସ ବାହିନୀକୁ ପ୍ରଶିକ୍ଷଣ ଦିଆଯାଉଛି। ଆଜିର ଏହି କାର୍ୟ୍ୟକ୍ରମରେ ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖ ସାମିଲ ରହିଛନ୍ତି।

LEAVE A REPLY

Please enter your comment!
Please enter your name here