ବରିଷ୍ଠ ହେତୁବାଦୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ଦେହାନ୍ତରେ ଶୋକସଭା

0
357

ବ୍ରହ୍ମପୁର () ବ୍ରହ୍ମପୁର ସହରର ଅନ୍ୟତମ ବରିଷ୍ଠ ହେତୁବାଦୀ ସୂର୍ଯ୍ୟ ନାରାୟଣ ସାହୁଙ୍କ 79 ବୟସରେ ଦେହାନ୍ତ ହୋଇଯାଇଛି । ସେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଭାଗର ଜଣେ ଏକାଉଣ୍ଟେଟ୍ ଭାବେ ଅବସର ନେଇ ଶ୍ରୀରାମନଗର ଠାରେ ବାସ କରୁଥିଲେ । ହେତୁବାଦୀ ବିଚାରରେ ବିଶ୍ୱାସ କରୁଥିବା ସାହୁ ଦୀର୍ଘ ୪୦ ବର୍ଷ ଧରି ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସକୁ ଦୂର କରିବା ଏବଂ ବିଜ୍ଞାନ ତଥା ବୈଜ୍ଞାନିକ ଚେତନାର ପ୍ରଚାର ପ୍ରସାର ଦିଗରେ ସକ୍ରିୟ ଥିଲେ ।
ହେତୁବାଦୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ବିୟୋଗରେ ଆଜି ସ୍ଥାନୀୟ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଏକ ଭର୍ଚୁଆଲ୍ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ଇ. ତେଜେଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ହେତୁବାଦୀ ଯୋଗଦେଇଥିଲେ । ପ୍ରଥମେ ସୂର୍ଯ୍ୟ ସାହୁଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ପରେ ସଂଗଠନର ସମ୍ପାଦକ କେ. ନନ୍ଦେଶୁ ସେନାପତି ତାଙ୍କର ଜୀବନୀ ଓ କାର୍ଯ୍ୟକଳାପ ଉପରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ହେତୁବାଦୀ ସଂଗଠନର ରାଜ୍ୟ ସଭାପତି ପ୍ରଫେସର ଧନେଶ୍ୱର ସାହୁ ସୂର୍ଯ୍ୟ ସାହୁଙ୍କ ସହ ତାଙ୍କର ଫୁଲବାଣୀରେ ଥିବା ସମୟରୁ ରହିଥିବା ସମ୍ପର୍କ କଥା ମନେ ପକାଇ ତାଙ୍କୁ ଜଣେ ନିଷ୍ଠାପର ହେତୁବାଦୀ ଓ ଅତ୍ୟନ୍ତ ପରୋପକାରୀ ମଣିଷ ଥିଲେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ବଡ ପୁଅ ସୁନୀଲ ସାହୁଙ୍କ ସମେତ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଧ୍ୟାପିକା ରାଜବାଳା ତ୍ରିପାଠୀ, କିଶୋର ଚନ୍ଦ୍ର ମିଶ୍ର, ମହମ୍ମଦ ଶୁକୃ, ଡି ମୋହନ ରାଓ, ବାସନ୍ତୀ ଆଚାର୍ଯ୍ୟ, ପ୍ରତାପ ଚୌଧୁରୀ, ଜାମୁଲା ସୁରେଶ, ସୁନେଜ ପାଣିଗ୍ରାହୀ, କୈଳାସ ଷଡ଼ଙ୍ଗୀ, ବାଲ୍ମୀକି ନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ, ବସନ୍ତ ରାଉତ, ବିଧୂପ୍ରଭା ରଥ, ରବୀନ୍ଦ୍ର କୁମାର ଗୌଡ ପ୍ରମୁଖ ହେତୁବାଦୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବକ୍ତାମାନେ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଜଣେ ସମ୍ଵେଦନଶୀଳ ମଣିଷ ଭାବେ ତଥା ଜୀବନର ଶେଷ ପର୍ଯ୍ୟନ୍ତ ହେତୁବାଦୀ ବିଚାରରେ ଅବିଚଳ ରହି ସେ ବୈଜ୍ଞାନିକ ମନୋଭାବର ପ୍ରଚାର ପ୍ରସାର କରିବାରେ ନିୟୋଜିତ ହୋଇଥିଲେ ବୋଲି କହିଥିଲେ । ଶେଷରେ ବାସବରାଜୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here