ଅଜବ ମାନସିକତା, ଚିକିତ୍ସା ପାଇଁ ଆଣିଲେ, ମାତ୍ର ଶବ ଉଠାଇଲା ପ୍ରଶାସନ

0
268

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡ଼ାରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା ଏବଂ ଦେଖିବାକୁ ମିଳିଛି ଏକ ଅଜବ ମାନସିକତା। ବୁଗୁଡ଼ାର ଭେଙ୍କଟ ରାଓ ଦୋରାଙ୍କ ଧର୍ମପତ୍ନୀ ଏନ. କୁନି ରାଓ (୪୫)ଙ୍କ ଶ୍ଵାସ ରୋଗ ଗୁରୁତର ହେବାରୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। କୁନି ରାଓଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ବେଳେ ଅମ୍ଳଜାନ ସ୍ତର ବହୁତ କମ୍ ଥିବା ଜଣାପଡିବା ପରେ ବ୍ରହ୍ମପୁର ସ୍ଥାନାନ୍ତର ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୁନି ରାଓଙ୍କ ମୃତ୍ୟୁ ଘଟିଥିଲା। କୁନିଙ୍କ ମୃତ୍ୟୁ ପରେ କରୋନା ସନ୍ଦେହ କରି ଶବ ନେବାକୁ ସ୍ୱାମୀ ଭେଙ୍କଟ ମନ କରିଥିଲେ। ଯାହା ଫଳରେ ପ୍ରଶାସନ ଶବ ଦାହ କରିବାକୁ ବ୍ୟବସ୍ଥା କରିବା ପରେ ପୁଣି ଭେଙ୍କଟ ନିଜର ପୁଅ ଆସିଲେ ଶବ ନିଆଯିବ ବୋଲି କହିବା ଯୋଗୁଁ ମେଡ଼ିକାଲରେ ଶବ ପ୍ରାୟ ୭ ଘଣ୍ଟାରୁ ଉର୍ଦ୍ଧ ସମୟ ପଡି ରହିଥିଲା। ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁ କରୋନା ଭାବି ଶବ ନେବାକୁ ମନାକରୁଥିଲେ ପ୍ରଶାସନ ଶବ ଦାହ କରିବାକୁ ପ୍ରସ୍ତୁତ ହେବା ବେଳେ ବାହାରେ କାମ କରୁଥିବା ପୁଅ ଆସିଲେ ଶବ ଉଠାଇବାକୁ କହିବା ଏକ ଅଜବ ମାନସିକତାର ପରିଚୟ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଜରୁରୀ ସେବା ବେଳେ ରୋଗୀଙ୍କ ମୃତ୍ୟୁ ଘଟିଲେ ନିଜ ପରିବାର ଲୋକେ ତୁରନ୍ତ ମେଡ଼ିକାଲରୁ ଶବ ନେବାକଥା ନତୁବା ପ୍ରଶାସନ ପକ୍ଷରୁ ଶବକୁ ମେଡ଼ିକାଲରୁ ବାହାର କରିବା ବ୍ୟବସ୍ଥା ଅଛି। ଥଣ୍ଡା କାଶ ହୋଇଥିଲେ ମଧ୍ୟ କୁନିଙ୍କ କରୋନା ଟେଷ୍ଟ ହୋଇନଥିବା ବେଳେ ଯଦି ପରିବାର ଲୋକେ କରୋନା ସଂକ୍ରମଣ ବୋଲି ସନ୍ଦେହ କରୁଛନ୍ତି, ଏବଂ ତାହା ଯଦି ସତ୍ୟ ହୋଇଥାଏ ତବେ ବହୁ ସମୟ ଧରି ମେଡ଼ିକାଲରେ ଶବ ପଡି ରହିଲେ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ରହିଛି। ପାଠ ଲେଖିବା ସୁଦ୍ଧା ମେଡ଼ିକାଲରୁ ଶବ ଉଠି ନଥିବା ବେଳେ ଭବିଷ୍ୟତରେ ଏହିପରି ପୁନର୍ବାରାବୃତ୍ତି ଯେପରି ନହୁଏ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here