ମିଳୁନି ପାଣି ଗୋଳିଆ ପିଉଛନ୍ତି ବାଦପଲ୍ଲୀ ପଞ୍ଚାୟତ ବାସୀ

0
309

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା) ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବା ବେଳେ ଏବେ ଠାରୁ ବୁନ୍ଦେ ଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର  ବାଦପଲ୍ଲୀ  ,ଛକାସିଙ୍ଗି ଓ ଜାନି ଛକାସିଙ୍ଗି ଗ୍ରାମବାସୀ । ସୂଚନା ଅନୁଯାୟୀ ବାଦପଲ୍ଲୀ ପଞ୍ଚୟତରେ ଥିବା ମୋହନ ସାଗର ପାହାଡ଼ର ପାଦ ଦେଶରେ ଦିର୍ଘ ସାତବର୍ଷ ପୂର୍ବେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆନୁମାନିକ ୧୫ ଲକ୍ଷ ଟଙ୍କା ବ୍ଯୟବରାଦରେ  ୩୦ ହଜାର ଲିଟର ବିଶିଷ୍ଟ ଏକ କଂକ୍ରିଟ୍ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । ଯାହାକି ଆଜି ଅଚଳ ହୋଇପଡ଼ିଛି । ଛକାସିଙ୍ଗି ଓ ଜାନିଛକାସିଙ୍ଗିରେ ନଳକୂପ  ଥିଲେ ବି ସେଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହେଁ। ତେଣୁ ପାହାଡ଼ ତଳେ ଥିବା ଚୁଆ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଅଙ୍କା ବଙ୍କା ରାସ୍ତା ଦେଇ ପାହାଡ଼ ତଳକୁ ଯାଇ କିଛି ମହିଳା ଚୁଆରୁ  ପାଣି ନେଇ ଯାଉଥିବା ଦେଖିବାକୁ ମିଳିଛି । ସେପଟେ ଗ୍ରାମ ନିକଟରେ ଥିବା କୂଅ ପାଣିବି ଗୋଳିଆ, କିଛି ଲୋକ ବି ଏହି ଗୋଳିଆ ପାଣିକୁ ବ୍ୟବହାର କରନ୍ତି । ଏହି ଗୋଳିଆ ପାଣି ପିଇବା ଦ୍ବାରା ବିଭିନ୍ନ ରୋଗର ଶିକାର ହେଉଥିବା କହିଛନ୍ତି ଗ୍ରାମବାସୀ ।   ସରକାର ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବସୁଧା ଯୋଜନା ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ବ୍ୟୟବରାଦ ହେଉଥିବା ବେଳେ ସତେ ଯେମିତି ଶୁଦ୍ଧ ପାଣିର ସ୍ୱପ୍ନ ହେଇଯାଇଛି ପାହାଡ଼ ଦେଶର ଆଦିବାସୀ ମାନଙ୍କ ପାଇଁ । ଏହି ସମସ୍ୟା ବିଷୟରେ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ଏହାର ସମାଧନ ହୋଇପାରିନି ବୋଲି କହିଛନ୍ତି ଗ୍ରାମବାସୀ । ଏ ବିଷୟରେ ଆମେ  ଖଲିକୋଟ ବିଡ଼ିଓଙ୍କ  ସହିତ ଯୋଗାଯୋଗ କରିଥିଲୁ । ଅତି ଶିଘ୍ର ସେ ସମସ୍ୟା ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦେଖା ଯାଉ ଏମାଙ୍କ ପାଖରେ କେବେ ପହଞ୍ଚି ପାରୁଛି ସରକାରୀ ସହାୟତା ।

ରିପୋର୍ଟ :

LEAVE A REPLY

Please enter your comment!
Please enter your name here