ଗ୍ରୀଷ୍ମ ପ୍ରବାହ ଦ୍ବାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଅଛି:ଭାରତୀୟ ମେଟ୍ରୋଲୋଜି ବିଭାଗ

0
250

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଭାରତୀୟ ମେଟ୍ରୋଲୋଜି ବିଭାଗ ଦ୍ବାରା ଜାରି ହୋଇଥିବା ସତର୍କବାଣୀ ଅନୁସୋରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଦ୍ବାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଅଛି । ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନେଇ ଏକ ଜରୁରୀକାଳୀନ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏହି ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ଯେ, ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ୧୯୯୮ ମସିହାରେ ଅନୁଭୂତ ହୋଇଥିବା ଭଳି ହୋଇପାରେ । ଏଣୁ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କରାଗଲେ ଲୋକଙ୍କର ଜନଜୀବନ ସୁରକ୍ଷିତ ରହିବ । ଏଣୁ ଆଗତୁରା ସମସ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଏପ୍ରିଲ ମାସ ୧ ତାରିଖ ଠାରୁ ଜୁନ୍ ମାସ ୧୫ ତାରିଖ ଯାଏଁ ସତର୍କ କରିବା ଜରୁରୀ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ ବିଭିନ୍ନ ବିଭାଗ ଦ୍ବାରା କିଭଳି ପଦକ୍ଷେପ ଗ୍ରହଣ କରିବାକୁ ହେବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସମସ୍ତ କାର୍ୟ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଷ୍ଟାଫ୍ ମୁତୟନ ହେବେ ଏବଂ କଣ୍ଟ୍ରୋଲରୁମ୍ ଫୋନ୍ ନମ୍ବର ଜିଲ୍ଲା ଜରୁରୀ କାଳୀନ କାର୍ୟ୍ୟାଳୟକୁ ପ୍ରେରଣ କରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ସ୍ଥାନୀୟ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ବୈଠକ କରିବେ । ଜଳକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ କରି ସେହି ଅଞ୍ଚଳରେ ଅଚଳ ହୋଇ ରହିଥିବା ନଳକୂପ ମାନଙ୍କର ମରାମତି ପୂର୍ବରୁ କରାଇନିଅନ୍ତୁ । ଗ୍ରୀଷ୍ମକାଳରେ ଆବଶ୍ୟକ ସ୍ଥଳେ ନଳକୂପ ଅଚଳ ହୋଇଥିବା ସୂଚନା ମିଳିଲେ ତୁରନ୍ତ ସେଗୁଡିକୁ ମରାମତି କରିବାକୁ ପଦକ୍ଷେପ ଗ୍ରହଣ କରିବେ । ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହେବ । ଜନସାଧାରଣଙ୍କର ସୁରକ୍ଷା ଦୃଷ୍ଟିରୁ ବାହାରକୁ ବାହାରିବାକୁ ମନା କରାଯିବ ଏବଂ ଅଂଶୁଘାତରୁ ବର୍ତ୍ତିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବେ । ଶିକ୍ଷାନୁଷ୍ଠାନରେ ପରୀକ୍ଷାଗୁଡିକ ସକାଳ ଘ.୬.୩୦ ଠାରୁ ଘ.୧୦.୩୦ ମଧ୍ୟରେ କରିବାକୁ ହେବ । ଏଣୁ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ପାଠ୍ୟକ୍ରମ ସାରିବାକୁ କୁହାଯାଇଛି । ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅଂଶୁଘାତର ଚିକିତ୍ସା ସକାଶେ ସ୍ବତନ୍ତ୍ର କୋଠରୀ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜଙ୍ଗଲ ଅଞ୍ଚଳରେ ପଶୁପକ୍ଷୀଙ୍କ ପାନୀୟ ଜଳ ବ୍ୟବସ୍ଥା ଏବଂ ଜଙ୍ଗଲରେ ଅଗ୍ନି ଯେପରି ଲାଗିବ ନାହିଁ ସେଥିପ୍ରତି ସତର୍କ ଓ ସମସ୍ତ ବ୍ୟବସ୍ଥା କରିବାକୁ ବନ ବିଭାଗ ଅଦିକାରୀଙ୍କୁ କୁହାଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜଳଛତ୍ର/ଜଳକେନ୍ଦ୍ର ସ୍ଥାପନ କରି ଶୁଦ୍ଧ ପାନୀୟ ଜଳ ବଣ୍ଟନ ସକାଶେ କର୍ମଚାରୀ ନିୟୋଜିତ କରିବାକୁ କୁହାଯାଇଛି । ପୂର୍ବାହ୍ନ ଘ.୧୧ ଠାରୁ ମଧ୍ୟାହ୍ନ ଘ.୩ ପର୍ୟ୍ୟନ୍ତ ବସ୍ ଗୁଡିକ ଚଳାଚଳ ବନ୍ଦ ରଖିବାକୁ କୂହାଯାଇଛି । ବସ୍ ଗୁଡିକରେ ଓ.ଆର୍.ଏସ୍., ପ୍ରାଥମିକ ଚିକିତ୍ସା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ପ୍ରେକ୍ଷାଳୟ ଗୁଡିକରେ ନୁନ୍ ସୋ ବନ୍ଦ କରିବାକୁ କୁହାଯାଇଛି । ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ ସେବା ଯେପରି ବ୍ୟାଘାତ ହେବନାହିଁ ସେଥିପ୍ରତି ସଜାଗ ରହିବାକୁ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଥିଲା ।ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କିର୍ତ୍ତିଓ୍ବାସନ୍, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here