ସାବଧାନ; ଏଣିକି ସିସିଟିଭି ନଜରରେ ରହିବ ବ୍ରହ୍ମପୁର।

0
983

ବ୍ରହ୍ମପୁର ,୧୬/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ ଲୁଟ ରାହାଜାନୀ ଓ ଡକାୟତି ବହୁମାତ୍ରାରେ ବଢି ଚାଲିଛି । ଏହା ଉପରେ ରୋକ ଲଗାଇବା ପାଇଁ ସହରବାସୀ ସିସିଟିଭି ଲଗାଇବା ନେଇ ବହୁତ ଦିନ ଧରି ଦାବି କରିଆସୁଥିଲେ। ଏହି ଦାବୀ ବର୍ତ୍ତମାନ ପୁରଣ ହେବାକୁ ଯାଉଛି। ସହରରେ ଲାଗିବ ମୋଟ ୧୦୦ଟି ସିସିଟିଭି କ୍ୟାମେରା। ଆଉ ବ୍ରହ୍ମପୁର ସହରକୁ ଜଗିବ ସିସିଟିଭି। ଯାହାଦ୍ୱାରା ଅପରାଧ ଓ ଅପରାଧୀଙ୍କ ଉପରେ ରଖାଯାଇପାରିବ ତୀକ୍ଷ୍ଣ ଦୃଷ୍ଟି। ମହାନଗର ନିଗମ,ଆର ଟି ଓ ଏବଂ ପୋଲିସ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ସହରର ୧୦୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜଗିରହିବ ସିସିଟିଭି ଓ ୫ଟି ସ୍ଥାନରେ ରହିବ ହବ। ମହାନଗର ନିଗମ କାର୍ଯ୍ୟାଳୟ ,ଏସ୍ପି କାର୍ଯ୍ୟାଳୟ ଓ ଆର ଟି ଓ ଙ୍କ କାର୍ଯ୍ୟାଳୟରେ ହେବ କଣ୍ଟ୍ରୋଲ ରୁମ। ଏହାଦ୍ବାରା ଅପରାଧୀଙ୍କ ଉପରେ ରୋକ ଲଗା ଯାଇପାରିବ ।

ଏହା ସହ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଓ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକଙ୍କ ବିରୁଦ୍ଧରେ ସହଜରେ ହୋଇପାରିବ କାର୍ଯ୍ୟାନୁଷ୍ଠାନ। ସିସିଟିଭି କିପରି କାର୍ଯ୍ୟକରିବ ଏହା ଯାଞ୍ଚ ପାଇଁ କୋର୍ଟପେଟା ଛକରେ ବର୍ତ୍ତମାନ ଲଗାଯାଇଛି ସିସିଟିଭି । ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋଡଙ୍କ କହିବା ଅନୁସାରେ ଏହି ସିସିଟିଭି ସର୍ଭିଲାନ୍ସ କାର୍ଯ୍ୟ ବହୁତ ଦିନ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଥାନ୍ତା । କିନ୍ତୁ ଏହି କାମ କରିବା ପାଇଁ ଭୁବନେଶ୍ୱରରେ ଥିବା ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା, ଫନି ଯୋଗୁଁ ବିଳମ୍ବ ହୋଇଛି । ସ୍କାନିଙ୍ଗ ସଫ୍ଟୱେର ଦ୍ୱାରା ଏହିସବୁ ସିସିଟିଭି କାମକରିବ, ଓଡ଼ିଆ ନମ୍ବର ପ୍ଲେଟ ଫିଡ଼ କରିବାପାଇଁ କିଛି ସମୟ ନେଉଛି । ଯାହାର ପରୀକ୍ଷା ଆରମ୍ଭ ହୋଇସାରିଛି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ।ଜନସାଧାରଣ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ସିସିଟିଭି ଲାଗିବାପରେ ଏହାର ମେଣ୍ଟେନାନ୍ସ ଠିକ ଭାବରେ କରାଗଲେ ଏହି ଯୋଜନା ଫଳପ୍ରଦ ହେବ ବୋଲି ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here