ମଣିଷଙ୍କ ପାଇଁ ଗଣ୍ଡା ଗଣ୍ଡା, ପଶୁ ପାଇଁ ??

0
617

ବ୍ରହ୍ମପୁର (ଅସିତ ପଣ୍ଡା) ସମାଜରେ ବିଭିନ୍ନ କ୍ଷେତ୍ରରେ ମଣିଷଙ୍କ ପାଇଁ ସବୁ ପ୍ରକାର ସୁବିଧା। କହିବାକୁ ଗଲେ ଘାସ କାଟିବା ଠାରୁ ଘୋଡା ଚଢିବା ଯାଏଁ । ମାଳ ମାଳ ଯୋଜନା ସାଙ୍ଗକୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। କିନ୍ତୁ ବୋଧେ ଏ ସମାଜର ବ୍ୟବସ୍ଥା ବୁଝିପାରିନି ଯେ କେବଳ ମଣିଷର ନୁହେଁ ପଶୁର ମଧ୍ୟ ଜୀବନ ଅଛି। ମଣିଷ ଭଳି ସେମାନେ ମଧ୍ୟ କଷ୍ଟ ଅନୁଭବ କରିପାରନ୍ତି। ହଁ ଏଇଟା ସତ ଯେ ସେମାନେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ଗୁହାରି କାହାକୁ କହିପାରନ୍ତି ନାହିଁ। ଆଉ ଏ ସାମଜ ସବୁ ବୁଝିପାରୁଥିଲେ ମଧ୍ୟ ଅବୁଝା ର ଅଭିନୟ କରୁଛି। ବିଭିନ୍ନ ସମୟରେ ଆମେ ଦେଖୁଛେ ଅନେକ ପଶୁ ପକ୍ଷୀ , ବୁଲା ଗାଈ ଗରୁ ରାସ୍ତାରେ ପଡି ଯନ୍ତ୍ରଣା ରେ ଛଟ ପଟ ହେଉଥାନ୍ତି।କିନ୍ତୁ ଏ ମଣିଷ ସବୁ ଦେଖି ନଦେଖିଲା ଭଳି ଚାଲିଯାଉଛି।

ଅନେକ ସମୟରେ ଏଭଳି ବହୁ ଦୃଶ୍ୟ ଦେଖିବାକୁ ମିଳୁଛି । କୋଉଠି ଦୁର୍ଘଟଣା ଘଟି ଗାଈ ଗୋରୁଙ୍କ ମୃତ୍ୟୁ ତ ଆଉ କେଉଁଠି ଆହତ ଅବସ୍ଥାରେ ଛଟ ପଟ। କିନ୍ତୁ ସେମାନଙ୍କ ସୁରକ୍ଷା ଲାଗି ନା ଅଛି ଯୋଜନା ନା ଅଛି ଉପଯୁକ୍ତ ସୁବିଧା।

ବ୍ରହ୍ମପୁର ସହରରେ ଅନେକ ବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଈଗୋରୁ ମାନେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥାନ୍ତି । କିନ୍ତୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ସେମାନେ ରାସ୍ତା କଡରେ ହିଁ ଜୀବନ ହରାଇଥାନ୍ତି। ଗୋଟିଏ ପଟେ ଦେଖିବାକୁ ଗଲେ ଏଥିପାଇଁ ବହୁ ମାତ୍ରାରେ ଦାୟୀ ହେଉଛନ୍ତି ଗାଈ ମାଲିକ। କ୍ଷୀର ଦୁହିଁ ସାରିଲା ପରେ ଛାଡି ଦିଅନ୍ତି ରାସ୍ତା କଡ଼କୁ। ସେମାନଙ୍କ ମତଲବ ହେଲା କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରିବା ଆଉ କାମ ସରିଲେ ପର କରି ରାସ୍ତାରେ ଛାଡ଼ିଦେବା। ବୁଲା ଗାଈଙ୍କ ଏଭଳି ଅବାଧ ବୁଲା ପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଦୁର୍ଘଟଣାରେ ଯାଇଛି।

ଗତ କିଛି ଦିନ ତଳେ ଟ୍ରାଫିକ ସମସ୍ୟାକୁ ସୁଧାରିବା ସହ ରାଜ ରାସ୍ତାରେ ଗାଈଗୋରୁଙ୍କ ଅବାଧ ବୁଲା କୁ ରୋକିବା ପାଇଁ ଟେଗିଂ ଅଭିଯାନ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ଧରି ବ୍ରହ୍ମପୁର ସହରରେ ଏହି ଅଭିଯାନ ଚାଲିବା ପରେ ଏବେ ସମ୍ପୂର୍ଣ୍ଣ ନିଦ୍ରାରେ । ଫୁଲ ଆକ୍ସନ ମୁଡ ରେ ବିଏମସି ଗାଈ ଗୁଡିକର କାନରେ ନମ୍ବର ଟେଗିଂ କରିଥିଲା। ଆଉ କୁହାଯାଇଥିଲା ଯେ ଚିହ୍ନଟ ହୋଇଥିବା ଗାଈ ଗୁଡିକର ମାଲିକଙ୍କୁ ଏନେଇ ଅବଗତ କରାଯିବା ସହ ଜରିମାନା ଆଦାୟ କରାଯିବ। ହେଲେ ଭଲ ଭାବେ ଆରମ୍ଭ ନହେଉଣୁ ଏହି ଅଭିଯାନ ଶେଷ କେବେ ହେଲା ତାହା ଭଗବାନଙ୍କୁ ହିଁ ଜଣା। ସତରେ ଯଦି ଏଭଳି ଚାଲିଥାନ୍ତି ତେବେ ଗାଈ ଗୋରୁ ମାନେ ରାସ୍ତାରେ ବୁଲି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିବାରୁ ବଂଚିତ ହୋଇଥାନ୍ତେ।

ଅନ୍ୟପଟେ ବୁଲା ପଶୁଙ୍କ ଚିକିତ୍ସା ଲାଗି ବହୁ ସ୍ବେଛାସେବୀ ଆଗେଇ ଆସିଛନ୍ତି ସତ। କିନ୍ତୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ସେମାନେ ମଧ୍ୟ ନିରୁପାୟ। ବିଭିନ୍ନ ସମୟରେ ଚିକିତ୍ସା ସୁବିଧା ନପାଇ ଏବେ ଅନେକ ଗାଈ ଗୋରୁ ରାସ୍ତାରେ ଛଟ ପଟ ହୋଇ ମୃତ୍ୟୁ ବରଣ କରୁଛନ୍ତି।

ବ୍ରହ୍ମପୁର ସହରରେ ରହିଛି ପଶୁ ଚିକିତ୍ସାଳୟ। କିନ୍ତୁ ରହିଛି କେବଳ ଗୋଟିଏ ମାତ୍ର ଆମ୍ବୁଲାନ୍ସ। ସକାଳ ୮ ଟାରୁ ସନ୍ଧ୍ୟା ୬ । ପୁଣି ମଝିରେ କର୍ମଚାରୀ ଙ୍କ ଖାଇବା ବିରତି। ଉକ୍ତ ପଶୁ ବିଭାଗର କର୍ମଚାରୀ ଙ୍କ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ। କିନ୍ତୁ ବ୍ୟବସ୍ଥାର ଢ଼ିଲା ପଣ ଲାଗି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ଲାଗି ସେମାନେ ମଧ୍ୟ ଅସମର୍ଥ।

ତେବେ ପ୍ରଶାସନ ପକ୍ଷରୁ ମଣିଷ ଭଳି ଯଦି ପଶୁ ମାନଙ୍କ ପାଇଁ ଅଧିକା ଚିକିତ୍ସା ବ୍ୟବସ୍ତା ପାଇଁ ଗୁରୁତ୍ୱ ଦିଆଯାଇଥାନ୍ତା ତେବେ ଅନେକ ନିରୀହ ପଶୁ ପକ୍ଷୀ ମୃତ୍ୟୁ ମୁଖରୁ ବଂଚିଯାଇଥାନ୍ତେ।

ଜୀବନ ମାନେ ତ ଦୁଃଖ କଷ୍ଟ। ଭଗବାନ କାହାକୁ କେଉଁ ପ୍ରକାର ଗଢିଛନ୍ତି। କିନ୍ତୁ ମଣିଷ ଏହାକୁ ପ୍ରକାଶ କରିପାରେ କିନ୍ତୁ ପଶୁ ନୁହେଁ। ସେ ସବୁ ଜାଣିପାରେ କିନ୍ତୁ କିଛି କହିପରେନା। ସେଥିପାଇଁ ସେମାନଙ୍କ ଲାଗି ମଧ୍ୟ ଏ ବ୍ୟବସ୍ଥା ର ନଜର ରହିବା ଆବଶ୍ୟକ ରହିଛି।

ଖାଲି ମଣିଷ ପାଇଁ ଗଣ୍ଡା ଗଣ୍ଡା ଆଉ ପଶୁ ପାଇଁ??? ଏ ପ୍ରଶ୍ନ ଅନେକ ସାଧାରଣ ଲୋକଙ୍କର।

LEAVE A REPLY

Please enter your comment!
Please enter your name here